ଟ୍ରିବ୍ୟୁନାଲ୍‌ରେ ମହାନଦୀ ମହାବିବାଦ : ଆମେ କ୍ଷତିଗ୍ରସ୍ତ, କ୍ଷତିପୂରଣ ଦିଅ

ଦୋଷ ଲୁଚାଇବାକୁ ଛତିଶଗଡ଼ର ନୂଆ ଚାଲ

ନୂଆଦିଲ୍ଲୀ : ମହାନଦୀର ୨୭.୪୮ ଏମ୍‌ଏଏଫ୍‌ ଜଳ ବ୍ୟବହାର ନେଇ ଛତିଶଗଡ଼ ସରକାରଙ୍କ ଯୋଜନାକୁ ଅବୈଧ ଘୋଷଣା କରିବାକୁ ନେଇ ରାଜ୍ୟ ସରକାର ଗତ ମାସରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଦାବି କରିଥିଲେ। ଗତକାଲି ଟ୍ରିବ୍ୟୁନାଲ୍‌ରେ ଛତିଶଗଡ ଦାବି ରଖିଛି େଯ ମୌସୁମୀ ଋତୁରେ ୧୮.୬୩ ଏମ୍‌ଏଏଫ୍‌ ଓ ଅଣ ମୌସୁମୀ ଋତୁ‌ରେ ୬.୦୪ ଏମ୍‌ଏଏଫ୍‌ ଜଳ ନ୍ୟାୟସଂଗତ ରୂପେ ନିର୍ଦ୍ଧାରଣ କରାଯାଉ। କେବଳ ସେତିକି ନୁହେଁ, ଛତିଶଗଡ଼ ଅଞ୍ଚଳରେ ହୀରାକୁଦ ଡ୍ୟାମ୍‌ ପ୍ରକଳ୍ପ ଯୋଗୁଁ ଜଳମଗ୍ନ ଜନିତ କ୍ଷତିପୂରଣ ବାବଦରେ ଅର୍ଥରାଶି ନିର୍ଦ୍ଧାରଣ କରାଯାଇ ଓଡ଼ିଶାଠାରୁ ଆଦାୟ କରିବାପାଇଁ ମଧ୍ୟ ସଂପୃକ୍ତ ସରକାର ଦାବି ରଖିଛନ୍ତି।

ଛତିଶଗଡ ଜଳସଂପଦ ବିଭାଗ ଦାଖଲ କରିଥିବା ବିବରଣୀରେ ଦର୍ଶାଇଛି, ହୀରାକୁଦ ଡ୍ୟାମ୍‌ ପ୍ରକଳ୍ପ ଯୋଗୁଁ ଫେରନ୍ତା ଜଳ ଜନିତ ସମସ୍ୟା ସୃଷ୍ଟି େହଉଛି। ଛତିଶଗଡ଼ ଅଞ୍ଚଳରେ ‌କ୍ଷେତଜମି ଗୁଡ଼ିକ କ୍ଷତିଗ୍ରସ୍ତ ତଥା ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତି ନଷ୍ଟ ହେଉଛି। ଆନ୍ତଃରାଜ୍ୟ ପ୍ରକଳ୍ପ ହୀରାକୁଦ ଡ୍ୟାମ ନିର୍ମାଣ ଉପରେ ଛତିଶଗଡ଼କୁ ସ୍ବଳ୍ପ ପରିମାଣର ବିଦ୍ୟୁତ ମିଳିଥିଲା। ଅତଏବ ଶକ୍ତି ଉତ୍ପାଦନରେ ସମାନ ଅଂଶ ସୁନିଶ୍ଚିତ କରିବାପାଇଁ ଛତିଶଗଡ ଜଣାଇଛି।

ଦାଖଲ ବିବରଣୀରେ ଏକଥା ବି କୁହାଯାଇଛି, ୧୯୮୩ ମସିହା ଏପ୍ରିଲ୍‌ ୨୮ ତାରିଖ ବୁଝାମଣାକୁ ପାଳନ କରାଯାଉ। େସହିଭଳି ଛତିଶଗଡ଼ ତାର ମାଟି‌ରେ ଆଇନଗତ ଭାବେ ନିଜର ଜଳସମ୍ପଦଗୁଡ଼ିକର ଉପଯୋଗ କରିବାର ଅଧିକାର ତଥା ଡ୍ୟାମ୍‌, ବ୍ୟାରେଜ୍‌ ଓ ଅନ୍ୟାନ୍ୟ ଜଳସମ୍ପଦ ନିର୍ମାଣ କରି କାର୍ଯ୍ୟକ୍ଷମ କରିବାର ଅଧିକାର ଅଛି ବୋଲି ଟ୍ରିବ୍ୟୁନାଲ୍‌ ଘୋଷଣା କରନ୍ତୁ। ଛତିଶଗଡ ସରକାର କହିଛନ୍ତି, ଓଡ଼ିଶାଦ୍ବାରା ମହାନଦୀ ଜଳକୁ ନେଇ ଯେଉଁ ବିବାଦ ସୃଷ୍ଟି କରାଯାଇଛି ତାହା ଅନ୍ୟାୟ ଓ ଦୁର୍ଭାଗ୍ୟଜନକ। ଓଡ଼ିଶା ମହାନଦୀ ଜଳର ବ୍ୟବହାରିତାକୁ ନେଇ ଦୋମୁହାଁ ନୀତି ଆପଣାଇଛି। ଓଡ଼ିଶା ହିଁ ଛତିଶଗଡ଼ ବିକାଶ‌ରେ ବାଧା ସୃଷ୍ଟି କରିଛି। ଓଡ଼ିଶା ନିଜଆଡ଼ୁ ହୀରାକୁଦ ଡ୍ୟାମ୍‌ର ମାତ୍ରାଧିକ ଜଳ ସ୍ତରକୁ ସଂଶୋଧିତ କରିଛି। ଏନେଇ ଆଗୁଆ ସହମତି ନେଇନଥିବା ଛତିଶଗଡ଼ ଅଭି‌ଯୋଗ କରିଛି।

ବିବରଣୀରେ କୁହାଯାଇଛି, ସେଂଶାଧିତ ମାତ୍ରାଧିକ ଜଳସ୍ତର ଛତିଶଗଡ଼ ଅଞ୍ଚଳରେ ପ୍ରତିକୂଳ ପ୍ରଭାବ ପକାଇଛି। ମହାନଦୀ ଜଳର ବ୍ୟବହାର ନିର୍ଦ୍ଧାରଣ ଓ ବଣ୍ଟନକୁ ନେଇ ଛତିଶଗଡ଼ ଦ୍ବାରା ଓଡ଼ିଶା ବିରୋଧରେ ଆପତ୍ତି ଉଠାଯାଇଛି। ମହାନଦୀ ଜଳର ବୈଷୟିକ ଆକଳନ ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ। ଏହାଦ୍ବାରା ଦୁଇ ପକ୍ଷରେ ଆଇନସଂଗତ ବଣ୍ଟନ ସୁନିଶ୍ଚିତ କରାଯାଇପାରିବ ନାହିଁ।

ମହାନଦୀ ଅବବାହିକାରେ ହାଇଡ୍ରୋଲୋଜି ଷ୍ଟଡି ଓ ଡିମାଣ୍ଡ୍‌ ଷ୍ଟଡିର ଆବଶ୍ୟକତା ରହିଛି ବୋଲି ଛତିଶଗଡ଼ ଦ୍ବାରା ହୋଇଥିବା ଦାବିରେ ଉଲ୍ଲେଖ କରାଯାଇଛି। ଭାରତୀୟ ପାଣିପାଗ ବିଭାଗରୁ ଅକ୍ଟୋବର ୨୯, ୨୦୧୮ରେ ବୃଷ୍ଟିପାତ ତଥ୍ୟ ତଥା କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରୁ ନଭେମ୍ବର ୧, ୨୦୧୯ ସୁଦ୍ଧା ଏସବୁ ତଥ୍ୟ ମିଳିପାରିନାହିଁ। ତଥ୍ୟ ମିଳି ସାରିବା ପରେ ଏଗୁଡ଼ିକୁ ଟ୍ରିବ୍ୟୁନାଲ୍‌ରେ ଦାଖଲ କରାଯିବ ବୋଲି ଛତିଶଗଡ଼ ପକ୍ଷରୁ କୁହାଯାଇଛି।

ପ୍ରତିଜବାବରେ ଛତିଶଗଡ ଦର୍ଶାଇଛି, ମହାନଦୀର ଉପର ମୁଣ୍ଡରେ ଶିଳ୍ପ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିବା ୬ଟି ବ୍ୟାରେଜ୍‌ ମହାନଦୀର ତଳ ମୁଣ୍ଡରେ ପ୍ରାକୃତିକ ତଥା ନିରନ୍ତର ଜଳପ୍ରବାହରେ ପ୍ରଭାବ ପକାଇବ ନାହିଁ। ଏସବୁ ବ୍ୟାରେଜ୍‌ ଗୁଡ଼ିକ ମାଇନର୍‌ ବୋଲି ଛତିଶଗଡ଼ ପକ୍ଷରୁ କୁହାଯାଇଛି। ମହାନଦୀର ତଳମୁଣ୍ଡରେ ନିରନ୍ତର ଜଳପ୍ରବାହ ସହ ଅତିରିକ୍ତ ସୁବିଧା ମଧ୍ୟ ହାସଲ ହେଉଛି। କେବଳ ଏତିକି ନୁହେଁ, ନିର୍ମାଣଧୀନ ବ୍ୟାରେଜ୍‌ ଦ୍ବାରା ତଳମୁଣ୍ଡରେ କୌଣସି ପ୍ରଭାବ ପଡ଼ୁନଥିବା କେନ୍ଦ୍ରୀୟ ଜଳ ଆୟୋଗର ଗୋଟିଏ ଅଧ୍ୟୟନରୁ ଜଣା ପଡ଼ିଥିବା ନେଇ ଛତିଶଗଡ଼ ପକ୍ଷରୁ ଦାଖଲ ହୋଇଥିବା ଦାବିପତ୍ର‌ରେ ଦର୍ଶାଯାଇଛି।

ହୀରାକୁଦ ଡ୍ୟାମ୍‌ ଯୋଗୁଁ ଓଡ଼ିଶାର ଲାଭ ହେଉଥିବା ବେଳେ ଛତିଶଗଡ଼ର ୩୬ଟି ଗାଁ ଜଳମଗ୍ନ ହୋଇଛି। ଓଡ଼ିଶା ସରକାର ନରାଜ ଓ ଟିକରପଡ଼ାରେ କାହିଁକି ଡ୍ୟାମ୍‌ ନିର୍ମାଣ କରିନାହାନ୍ତି ବୋଲି ଛତିଶଗଡ଼ ପ୍ରଶ୍ନ କରିଛି। ଦୁଇଟି ଡ୍ୟାମ୍‌ ନିର୍ମାଣ ହୋଇଥିଲେ ଜଳ ସଂରକ୍ଷଣ ହୋଇ ପାରିଥାନ୍ତା। ଅଯଥାରେ ଛତିଶଗଡ଼ ଉପରେ ଦୋଷ ଲଦାଯାଉଛି। ଓଡ଼ିଶା ସରକାର ଜାଣିଶୁଣି ଡ୍ୟାମ୍‌ ନିର୍ମାଣ କରିବାପାଇଁ ‌କୌଣସି ପ୍ରୟାସ କରିନଥିଲେ ବୋଲି ଛତିଶଗଡ଼ ପକ୍ଷରୁ ଅଭିଯୋଗ ହୋଇଛି। ଯଦି ୩ଟି ଡ୍ୟାମ୍‌ ନିର୍ମାଣ ହୋଇଥାନ୍ତା ତାହାଲେ ମୌସୁମୀ ଋତୁରେ ଜଳ ସଂରକ୍ଷଣ ହୋଇଥାନ୍ତା ଏବଂ ଅଣ ମୌସୁମୀ ସମୟରେ ଏହାର ବ୍ୟବହାର କରାଯାଇ ପାରିଥାନ୍ତା। ମହାନଦୀ ଜଳବିବାଦ ଓଡ଼ିଶା ସରକାର ନିଜସ୍ବ କୃତ ସମସ୍ୟା ‌ବୋଲି ଛତିଶଗଡ଼ ପକ୍ଷରୁ କୁହାଯାଇଛି। ଜଳର ବ୍ୟବହାର ନେଇ କୌଣସି ପ୍ରକାର ଯୋଜନା ରାଜ୍ୟ ସରକାର ପ୍ରସ୍ତୁତ କରିନଥିଲେ। ଛତିଶଗଡ଼କୁ କୌଣସି ପ୍ରକାର ସୂଚନା ଦିଆନଯାଇ ହୀରାକୁଦ ଡ୍ୟାମ୍‌ରେ ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ କରାଯାଇଥିଲା ଯାହା ପରିବେଶ ପ୍ରଭାବ ଆକନଳ ୨୦୦୬ନିୟମକୁ ଉଲ୍ଲଂଘନ କରୁଛି ବୋଲି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଛତିଶଗଡ଼ କହିଛି। ଓଡ଼ିଶା ଦ୍ବାରା ଏକତରଫା ଭାବେ ହୀରାକୁଦ ଡ୍ୟାମ୍‌ର ସ୍କୋ‌ପ୍‌ ପରିବର୍ତ୍ତନ କରି ଦିଆଯାଇଥିବା ମଧ୍ୟ ଛତିଶଗଡ଼ ପକ୍ଷରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର