ମହାନଦୀ ଶୁଣାଣି ଜୁଲାଇ ୧୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାର ଶୁଣାଣି ଜୁଲାଇ ୧୩କୁ ଘୁଞ୍ଚିଯାଇଛି। ବାତ୍ୟା ‘ଫନି’ ଯୋଗୁଁ ଚଳିତ ମାସ ପ୍ରଥମ ସପ୍ତାହରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ପ୍ରତିନିଧି ଦଳ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିପାରିନାହାନ୍ତି କି ବୈଠକ ମଧ୍ୟ ହୋଇପାରିନାହିଁ। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ.ଏମ୍. ଖାନଵିଲକରଙ୍କ ତିନିଜଣିଆ ଖଣ୍ଡପୀଠରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ସୂର୍ଯ୍ୟ ମିଶ୍ର ଓ ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ.କେ. ଗାଙ୍ଗୁଲି ଏସଂପର୍କରେ ଅବଗତ କରାଇବା ସହ ସ୍ଥାନ ପରିଦର୍ଶନ ଓ ବୈଠକ ପାଇଁ ଖଣ୍ଡପୀଠଙ୍କଠାରୁ ଏକ ମାସର ସମୟ ଲୋଡ଼ିଥିଲେ। ଜୁନ୍‌ ମାସରେ ଦୁଇ ରାଜ୍ୟର ପ୍ରତିନିଧିମାନେ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ପରେ ବୈଠକ କରିବେ ବୋଲି ଖଣ୍ଡପୀଠଙ୍କୁ ଜଣାଇଥିଲେ।

ଖଣ୍ଡପୀଠ ଉଭୟ ରାଜ୍ୟର ଆବେଦନ ଶୁଣିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩କୁ ଧାର୍ଯ୍ୟ କରିଛନ୍ତି।। କୋର୍ଟ ପୁଣି କହିଛନ୍ତି ଯେ ମହାନଦୀ ଜଳବିବାଦ ସମ୍ପର୍କିତ ମୂଳ ମାମଲାର ସମସ୍ତ ପ୍ରକାର ଆବେଦନକୁ ଜୁନ ମାସରେ ପକ୍ଷଭୁକ୍ତ ଥିବା ରାଜ୍ୟମାନଙ୍କୁ ଶେଷ କରିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ଶେଷ କରିଥିବା ବେଳେ ଆପୋସ ଆଲୋଚନା କରି ମାମଲାର ସମାଧାନ ପାଇଁ ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ପ୍ରଥମ ଦୁଇ ରାଜ୍ୟ ଦ୍ବାରା ଦୁଇଟି ବୈଠକ ହୋଇଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରିନଥିଲା। ବାତ୍ୟା ଫନି ଯୋଗୁଁ ତୃତୀୟ ବୈଠକ ହୋଇପାରି ନାହିଁ। ଉଭୟ ରାଜ୍ୟ ତୃତୀୟ ବୈଠକର ନିଷ୍କର୍ଷ ଜଣାଇବା ପରେ ଟ୍ରିବ୍ୟୁନାଲ ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ରାୟ ଶୁଣାଇବେ।

ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

ମହାନଦୀ ଅବବାହିକାରେ ଉପଲବ୍ଧ ଜଳର ପୁନଃଆକଳନ ପାଇଁ ଓଡ଼ିଶା ଅସହମତି ପ୍ରକାଶ କରିଛି। ଛତିଶଗଡ଼ ଗତ ଜାନୁଆରୀ ମାସରେ ମହାନଦୀ ଜଳବିବାଦ ମାମଲାରେ ଅଭିଯୋଗ ପିଟିସନ ଦାଖଲ କରି ମହାନଦୀରେ ଉପଲବ୍ଧ ହେଉଥିବା ଜଳର ସମଗ୍ର ପରିମାଣର ଉଚିତ୍‌ ଆକଳନ ସହ ମହାନଦୀ ଅବବାହିକାରେ ଥିବା ରାଜ୍ୟମାନଙ୍କ ମଧ୍ୟରେ ନ୍ୟାୟସଙ୍ଗତ ବିଭାଜନ କରିବା ପାଇଁ ପ୍ରାର୍ଥନା କରିଥିଲା। ଏହି ମର୍ମରେ ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ସତ୍ୟପାଠ ଦାଖଲ କରି ମହାନଦୀ ଅବବାହିକାରେ ଉପଲବ୍ଧ ଜଳର ପୁନଃଆକଳନ ପାଇଁ ଅସହମତି ପ୍ରକାଶ କରିଛି। ମହାନଦୀର ଉପରମୁଣ୍ଡର ୨୪.୭୦ ନିୟୁତ ଏକର ଫୁଟ୍ (ଏମଏଏଫ୍) ଜଳର ସମାନୁପାତିକ ଆବଣ୍ଟନ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ ବୋଲି ଓଡ଼ିଶା ଦର୍ଶାଇଛି। ଟିକରପଡ଼ା ଓ ନରାଜ ଡ୍ୟାମ ନିର୍ମାଣ କରିପାରି ନଥିବାରୁ ଓଡ଼ିଶା ଜଳସମ୍ପଦକୁ ସୁରକ୍ଷିତ ରଖିପାରିନଥିବା ସମ୍ପର୍କିତ ଛତିଶଗଡ଼ର ଅଭିଯୋଗକୁ ଓଡ଼ିଶା ଖଣ୍ଡନ କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଟିକରପଡ଼ା ଓ ନରାଜ ଡ୍ୟାମ୍‌ର ନିର୍ମାଣ ହୀରାକୁଦ ଡ୍ୟାମର ବିକଳ୍ପ ନୁହେଁ।

ହୀରାକୁଦ ଡ୍ୟାମ୍‌ର ସଂଶୋଧିତ ବନ୍ୟାଜଳ ପରିମାଣରେ ଛତିଶଗଡ଼ ଜଳମଗ୍ନ ହେବା ଅଭିଯୋଗକୁ ମଧ୍ୟ ଓଡ଼ିଶା ଖଣ୍ଡନ କରିଛି। ସଂଶୋଧିତ ଡିଜାଇନ ଫ୍ଲଡ୍ କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ବୋଲି ସତ୍ୟପାଠରେ କୁହାଯାଇଛି। ମହାନଦୀ ଜଳବିବାଦ ମାମଲାରେ ଶକ୍ତିବଣ୍ଟନ କ୍ଷେତ୍ରରେ ନର୍ମଦା ଜଳବିବାଦ ଅନ୍ତର୍ଗତ ଆଦେଶ ଜାରି କରିବା ନେଇ ଛତିଶଗଡ଼ର ଯୁକ୍ତିର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ଓଡ଼ିଶା ଦ୍ବାରା ସତ୍ୟପାଠରେ କୁହାଯାଇଛି।

ସମ୍ବନ୍ଧିତ ଖବର