ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି : କେନ୍ଦ୍ରମନ୍ତ୍ରୀ

ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶ୍ନରେ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ମହାନଦୀ ଜଳ ଆବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ କରିବା ଲକ୍ଷ୍ୟରେ ଖୁବ୍‌ ଶୀଘ୍ର ଟ୍ରିବ୍ୟୁନାଲ ଗଠନ କରାଯିବ। ଏ ନେଇ ଜଳ ସମ୍ପଦ ଓ ନଦୀ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ବୋଲି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ସୂଚନା ଦେଇଛନ୍ତି। କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଗୁରୁବାର ଲୋକସଭାରେ କହିଛନ୍ତି, ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଏହି ମାମଲାର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ଏଥିଲାଗି ରାଜି ହୋଇ ନ ଥିଲେ। ପରେ ମାମଲା ସୁପ୍ରିମକୋର୍ଟ ଯାଇଥିଲା। ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ୨୦୧୮ ଜାନୁଆରି ୨୩ରେ ଟ୍ରିବ୍ୟୁନାଲ ଗଠନ ପାଇଁ ଆଦେଶ ଦେଇଥିଲେ ।

ସୁପ୍ରିମକୋର୍ଟଙ୍କ ଆଦେଶର ପ୍ରାୟ ୧୫ ଦିନ ପରେ ମଧ୍ୟ ଟ୍ରିବ୍ୟୁନାଲ ଗଠନ ହୋଇ ପାରି ନ ଥିବାରୁ ଏହା କେତେଦୂର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଛି, ସେ ନେଇ ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ଗୁରୁବାର ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ କହିଥିଲେ, ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି।

 

ସମ୍ବନ୍ଧିତ ଖବର