ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ : ଆସନ୍ତାକାଲି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। କେନ୍ଦ୍ର ସରକାରଙ୍କ ଦ୍ବାରା ଟ୍ରିବ୍ୟୁନାଲ୍‌ ଗଠନ ହେବା ପରେ ଏହା ଟ୍ରିବ୍ୟୁନାଲ୍‌ର ଦ୍ବିତୀୟ ଶୁଣାଣି ହେବ। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଅକ୍ଟୋବର ୯ ତାରିଖରେ ଛତିଶଗଡ଼ ଦ୍ବାରା ମହାନଦୀର ଉପରମୁଣ୍ଡରେ ନିର୍ମାଣ କରାଯାଇଥିବା ୬ଟି ବ୍ୟାାରେଜ୍‌ର ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବା ପାଇଁ ଓଡ଼ିଶା ଦ୍ବାରା ଅନ୍ତରୀଣ ଆବେଦନ କରାଯାଇଥିଲା। ମହାନଦୀ ଟ୍ରିବ୍ୟୁନାଲ୍‌ର ପ୍ରଥମ ଶୁଣାଣିରେ ଓଡ଼ିଶାର ଅନ୍ତରୀଣ ଆବେଦନକୁ ଗ୍ରହଣ କରି ଟ୍ରିବ୍ୟୁନାଲ୍‌ ଛତିଶଗଡ଼ ସମେତ ୪ ରାଜ୍ୟକୁ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଚଳିତମାସ ୩ ତାରିଖରେ ଛତିଶଗଡ଼ ଓ ମହାରାଷ୍ଟ୍ର ଦ୍ବାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ସତ୍ୟପାଠ ଦାଖଲ କରାଯାଇଥିଲା। ଉଭୟ ରାଜ୍ୟ ଦ୍ବାରା ଓଡ଼ିଶା ଆବେଦନକୁ ଖାରଜ କରିବା ପାଇଁ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

ଛତିଶଗଡ଼ ଓ ମହାରାଷ୍ଟ୍ର ଟ୍ରିବ୍ୟୁନାଲ୍‌ରେ ସତ୍ୟପାଠ ଦାଖଲ କରିବା ପରେ ଓଡ଼ିଶା ଦ୍ବାରା ମହାନଦୀ ଜଳ ବିବାଦକୁ ନେଇ ଦାବିପତ୍ର ଉପସ୍ଥାପନ କରାଯାଇଥିଲା। ହୀରାକୁଦ ଜଳଭଣ୍ଡାର ପ୍ରକଳ୍ପ ଚୁକ୍ତିନାମାକୁ ବୈଧ ଘୋଷଣା କରାଯିବା ସହ ଛତିଶଗଡ଼ ଯୋଜନାକୁ ଅବୈଧ ଘୋଷଣା କରାଯାଉ ବୋଲି ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ରେ ଆବେଦନ କରିଛନ୍ତି। ଅଦ୍ୟାବଧି ଓଡ଼ିଶାର ଦାବିପତ୍ରକୁ ନେଇ ଛତିଶଗଡ଼ ଦ୍ବାରା କୌଣସି ପ୍ରକାର ଦସ୍ତାବିଜ ଦାଖଲ ହୋଇନଥିବା ବେଳେ ଏଥିପାଇଁ ଟ୍ରିବ୍ୟୁନାଲ୍‌ରୁ ସମୟ ଲୋଡ଼ାଯାଇଛି। ଛତିଶଗଡ଼ ଓ ମହାରାଷ୍ଟ୍ର ଦ୍ବାରା ସତ୍ୟପାଠ ଦାଖଲ କରାଯିବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ୍‌ରେ ପ୍ରତିଜବାବ ଦାଖଲ କରାଯାଇଛି। ସମସ୍ତ ପକ୍ଷଙ୍କ ଦ୍ବାରା ଟ୍ରିବ୍ୟୁନାଲ୍‌ ନି‌ର୍ଦ୍ଦେଶ ଅନୁସାରେ ଜବାବ ଦାଖଲ କରାଯାଇଥିବାରୁ ଆସନ୍ତାକାଲି ଟ୍ରିବ୍ୟୁନାଲ୍‌ ପ୍ରଥମେ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନର ଶୁଣାଣି କରିବେ। ମହାନଦୀ ଜଳବିବାଦ ମୂଳ ମାମଲାର ଶୁଣାଣି ଜାନୁଆରି ୧୨ରେ ହେବ।

ସମ୍ବନ୍ଧିତ ଖବର