ମହାରାଷ୍ଟ୍ର: ୩ ମାସରେ ୬୩୯ ଚାଷୀଙ୍କ ଆତ୍ମହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ଘଟଣା କମିବାର ନାଁ ନେଉନାହିଁ। ସରକାର ଚାଷୀଙ୍କ ହିତ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା କଥା କହୁଥିବା ବେଳେ ଚାଷୀଙ୍କ ସମସ୍ୟା ପ୍ରତିକାର କରିବାରେ ଏହା ବିଫଳ ହୋଇଛି। ଫଳରେ ଚଳିତବର୍ଷ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ରାଜ୍ୟର ୬୩୯ ଜଣ ଚାଷୀ ଆତ୍ମହତ୍ୟାର ବାଟ ବାଛିନେଇଛନ୍ତି। ପ୍ରତିକୂଳ ଜଳବାୟୁ ଏବଂ ରୋଗପୋକ ଜନିତ ଫସଲ ହାନି, ବ୍ୟାଙ୍କ ଋଣ ପରିଶୋଧରେ ବିଫଳ ଭଳି ଘଟଣା ଯୋଗୁ ଚାଷୀମାନେ ଆତ୍ମହତ୍ୟା କରିଛନ୍ତି। ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ରାଜ୍ୟ ବିଧାନ ସଭାରେ ଦେଇଥିବା ସୂଚନାରୁ ଏହା ଜଣାଯାଇଛି। ବିରୋଧୀ ଦଳ ନେତା ଧନଞ୍ଜୟ ମୁଣ୍ଡେଙ୍କ ପକ୍ଷରୁ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ମାର୍ଚ୍ଚରୁ ମେ ମାସ ୩୧ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୩୯ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୮୮ ଜଣଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଯୋଜନାରେ ବିଭିନ୍ନ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ୧୨୨ଟି ଘଟଣାରେ ମୃତକଙ୍କ ପରିବାର ସଦସ୍ୟ କ୍ଷତିପୂରଣ ପାଇବାକୁ ହକ୍‌ଦାର ନ ଥିଲେ। ସେହିପରି ୩୨୯ ମାମଲାରେ କ୍ଷତିପୂରଣ ଦିଆଯିବ କି ନାହିଁ ସେ ନେଇ ସରକାର ଅନୁଧ୍ୟାନ କରୁଛନ୍ତି।

ସମ୍ବନ୍ଧିତ ଖବର