ବିଧାନସଭା ନିର୍ବାଚନ : ମହାରାଷ୍ଟ୍ରରେ ବିଜେପି ମେଣ୍ଟ, ହରିୟାଣାରେ ଝୁଲା

ମହାରାଷ୍ଟ୍ରରେ ଚିନ୍ତା ବଢ଼ାଇଲା ଶିବସେନା, ହରିୟାଣାରେ ଜେଜେପି ଉପରେ ଆଖି

ନୂଆଦିଲ୍ଲୀ : ଗତ ଲୋକସଭା ନିର୍ବ‌ାଚନରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପି ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନରେ ୨୦୧୪ର ସଫଳତାକୁ ଦୋହରାଇ ପାରିନାହିଁ। ହରିୟାଣାରେ ସଂଖ୍ୟାଗରିଷ୍ଠତା ହରାଇଥିବା ବେଳେ ମହାରାଷ୍ଟ୍ରରେ ଅଳ୍ପକେ ବର୍ତିଯାଇଛି। ଏହି ଦୁଇଟି ରାଜ୍ୟରେ କଂଗ୍ରେସ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ କରିବା ନିଶ୍ଚିତ ଥିବା ବେଳେ ହରିୟାଣାରେ ସରକାର ଗଠନ କରିବା ବିଜେପି ପାଇଁ ଏ‌େତ ସହଜ ନୁହେଁ। ବିଜେପି ଏବେ ଅନ୍ୟ ଦଳ ଓ ସ୍ବାଧୀନ ବିଧାୟକମାନଙ୍କ ସହ ଆଲୋଚନା ଚଳାଇଛି।

ମହାରାଷ୍ଟ୍ରରେ ଅନୁଷ୍ଠିତ ନିର୍ବାଚନରେ ୨୮୮ ଆସନ ମଧ୍ୟରୁ ବିଜେପି-ଶିବସେନା ମେଣ୍ଟ ୧୬୦ ଆସନ ଦଖଲ କରିଥିବା ବେଳେ କଂଗ୍ରେସ-ଏନ୍‌ସିପି ମେଣ୍ଟ ୧୦୨ ଆସନ ହାସଲ କରିଛି। ଅନ୍ୟମାନଙ୍କୁ ୩୦ ଆସନ ମିଳିଛି। ଅନ୍ୟପକ୍ଷରେ ହରିୟାଣାର ୯୦ ବିଧାନସଭା ଆସନରୁ ବିଜେପି ୪୦ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୩୧ ଆସନ ଦଖଲ କରିଛି। ଏଠାରେ ଜେଜେପି (ଜନନାୟକ ଜନତା ପାର୍ଟି) ୧୦ ଆସନ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି ଏବଂ ଝୁଲା ବିଧାନସଭା ଯୋଗୁଁ ଏହି ଦଳ ହାତରେ ଏବେ ସରକାର ଗଠନର ଚାବିକାଠି ରହିଛି। ହରିୟାଣାରେ ଆଇଏନ୍‌ଏଲ୍‌ଡିକୁ ଗୋଟିଏ ଏବଂ ଅନ୍ୟମାନଙ୍କୁ ୯ ଆସନ ମିଳିଛି।

hindi.indiatvnews.com

ହରିୟାଣାରେ ବିଜେପି ୪୦ ଆସନ ହାସଲ କରି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୪୬ ଏହା ପାଖରେ ନାହିଁ। ଜେଜେପିର ସମର୍ଥନ ହାସଲ ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ପ୍ରୟାସ ଜାରି ରଖିଛନ୍ତି। ହରିୟାଣାରେ ବିଜେପିର କେବଳ ୨ ଜଣ ମନ୍ତ୍ରୀଙ୍କୁ ବାଦଦେଇ ସମସ୍ତ ମନ୍ତ୍ରୀ ନିର୍ବାଚନ ହାରିଯିବା ଦଳ ପାଇଁ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି। ବିଜେପିର ମନ୍ତ୍ରୀ କ୍ୟାପ୍‌ଟେନ୍‌ ଅଭିମନ୍ୟୁ, ଓପି ଧନକର, ରାମ ବିଳାସ ଶର୍ମା, କବିତା ଜୈନ୍‌, କ୍ରିଷ୍ଣା କୁମାର ବେଦୀ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ବିଜେପିର ହରିୟାଣା ରାଜ୍ୟ ସଭାପତି ସୁଭାଷ ବରାଲା ତୋହାନା ନିର୍ବାଚନମଣ୍ଡଳୀରୁ ୬ ହଜାରରୁ ଅଧିକ ଭୋଟ୍‌ ବିଜୟୀ ହୋଇଛନ୍ତି। ସେ ଜେଜେପି ପ୍ରାର୍ଥୀ ଦେବେନ୍ଦ୍ର ସିଂହ ବବ୍‌ଲିଙ୍କୁ ପରାସ୍ତ କରିଛନ୍ତି। ହରିୟାଣାରେ ୮ ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ସେମାନଙ୍କୁ ନିଜ ପଟକୁ ଆଣିବା ପାଇଁ କଂଗ୍ରେସ ଏବଂ ବିଜେପି ଜୋର୍‌ଦାର ପ୍ରୟାସ ଆରମ୍ଭ କରିଛନ୍ତି। ଗତ ନିର୍ବାଚନରେ ବିଜେପିକୁ ୪୭ ଆସନ ମିଳିଥିଲା।

ସେହିଭଳି ମହାରାଷ୍ଟ୍ରରେ ଗତ ବିଧାନସଭା ନିର୍ବାଚନରେ ବିଜେପି ୧୨୨ ଆସନ ଦଖଲ କରିଥିବା ବେଳେ ଏଥର ଏହା ୧୦୨ ଆସନରେ ସିମିତ ରହିଛି। ଏଥର ଶିବସେନାକୁ ୫୮ ଆସନ ମିଳିଛି। କଂଗ୍ରେସକୁ ୪୬ ଏବଂ ଏନ୍‌ସିପିକୁ ୫୬ ଆସନ ମିଳିଛି। ମହାରାଷ୍ଟ୍ର ସରକାରଙ୍କ ଅନେକ ମନ୍ତ୍ରୀ ମଧ୍ୟ ନିର୍ବାଚନ ହାରି ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଦଳର ଟାଣୁଆ ନେତ୍ରୀ ପଙ୍କଜା ମୁଣ୍ଡେ ମଧ୍ୟ ସାମିଲ ଅଛନ୍ତି। ଆଜି ଫଳାଫଳ ସ୍ପଷ୍ଟ ହେବାପରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ କହିଛନ୍ତି ଯେ ଆମେ କ୍ଷମତା ପାଇଁ ଲାଳାୟିତ ନୋହୁଁ, କିନ୍ତୁ ୫୦-୫୦ ଫର୍ମୁଲାରେ ସରକାର ଚଳାଇବା ପାଇଁ ପୂର୍ବରୁ ହୋଇଥିବା ନିଷ୍ପତ୍ତିକୁ ଆମେ କାର୍ଯ୍ୟକାରୀ କରିବାକୁ ଚାହୁଛୁ। ତାଙ୍କର ଏହି ମନ୍ତବ୍ୟ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି। ବିଜେପି ଏବେ ଅସନ୍ତୁଷ୍ଟ ବିଜେପି ବିଧାୟକମାନଙ୍କ ସହ ସମର୍ଥନ ପାଇଁ କଥାବାର୍ତା ଚଳାଇଛି।

ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି ଯେ ଆମେ କୌଣସି ପରିସ୍ଥିତିରେ ମଧ୍ୟ ଶିବସେନାକୁ ସମର୍ଥନ କରିବୁ ନାହିଁ। ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ଉଭୟ ବିଜେପି ଏବଂ ଶିବସେନାର ମୁଖ୍ୟମନ୍ତ୍ରୀ ଅଢ଼େଇ ବର୍ଷ ଲେଖାଏଁ କ୍ଷମତାରେ ରହିବା ଉପରେ ତାଙ୍କ ଦଳ ଗୁରୁତ୍ବ ଦେବ ।

ସମ୍ବନ୍ଧିତ ଖବର