ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ ପାଇଁ ବିଭିନ୍ନ ମହଲରୁ ଦାବି!

ନୂଆଦିଲ୍ଲୀ : ପୁଲଓ୍ବାମା ଆତଙ୍କବାଦୀ ହମଲା ଘଟଣା ପରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ତଥା ଧାରା ୩୭୦କୁ ଉଚ୍ଛେଦ ପାଇଁ ବିଭିନ୍ନ ମହଲରେ ସ୍ୱର ଉଠିଛି । ଜମ୍ମୁ-କଶ୍ମୀରକୁ ଧାରା ୩୭୦ ଦ୍ୱାରା ଦିଆଯାଇଥିବା ସ୍ୱତନ୍ତ୍ର ପାହ୍ୟା ଏଠାରେ ବିଚ୍ଛିନ୍ନତାବାଦୀଙ୍କ ଦବଦବା ବୃଦ୍ଧି କରିବାରେ ଲଗିଛି ବୋଲି କୁହାଯାଉଛି। ସେମାନଙ୍କ ଇଙ୍ଗିତରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନ ସମୟରେ ସୁରକ୍ଷାକର୍ମୀଙ୍କ ଉପରେ ଟେକା ପଥର ମାଡ଼ କରୁଛନ୍ତି କିଛି ଖଳ ପ୍ରକୃତି ଲୋକ । ଯାହାକି ପାକିସ୍ତାନର ମନୋବଳକୁ ଅଧିକ ଦୃଢ଼ିଭୁତ କରୁଛି ବୋଲି ମହାରାଷ୍ଟ୍ର ବିଜେପି ବିଧାୟକ ମଙ୍ଗଲ ପ୍ରଭାତ ଲୋଧା ମୋଦିଙ୍କ ନିକଟରେ ଦାବି କରିଛନ୍ତି ।

ସୂଚନା ମୁତାବକ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ଅବଦୁଲାଙ୍କ ଚାପରେ ଜମ୍ମୁ-କଶ୍ମୀର ସମ୍ବିଧାନରେ ଧାରା ୩୭୦କୁ ଅସ୍ଥାୟୀ ଭାବେ କେନ୍ଦ୍ର ସରକାର ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଏହାର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା। ଏହାଦ୍ୱାରା ବିଚ୍ଛିନ୍ନତାବାଦୀଙ୍କ ପ୍ରଭାବ ବୃଦ୍ଧି ହୋଇଥିବା କହିଛନ୍ତି ଲୋଧା ।

ଦେଶରେ ଜାରି ରହିଛି ଶୋକାକୁଳ ସ୍ଥିତି । ସେହିପରି ଜମ୍ମୁ-କଶ୍ମୀରରେ ମଧ୍ୟ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ତୁରନ୍ତ ଜମ୍ମୁ-କଶ୍ମୀରରେ ଶାନ୍ତି ଫେରାଇ ଆଣିବା ତଥା ଆତଙ୍କବାଦର ବିଲୋପ ପାଇଁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇ ଧାରା ୩୭୦କୁ କାଶ୍ମୀର ପାଖରୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର