ଭଣଜାର ଚିକିତ୍ସା ପାଇଁ ୧.୯୦ଲକ୍ଷ ଟଙ୍କାର ସାହାଯ୍ୟ ଦେଇଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଜନ୍ମଦିନରେ ୧୦୧ଟଙ୍କା ଉପହାର ଆକାରରେ ପଠାଇଲେ ମହିଳା

ମୁମ୍ବାଇ : ଜୁଲାଇ ୨୨ରେ ଖୁବ୍‌ ଧୁମ୍‌ ଧାମ୍‌ରେ ନିଜର ଜନ୍ମଦିନ ପାଳନ କରିଥିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ୍‌ । ଏହି ଦିନ ତାଙ୍କୁ ଅନେକ ଦାମୀ ଉପହାର ମିଳିଥିବା ବେଳେ ଅନେକଙ୍କ ଶୁଭେଚ୍ଛା ମଧ୍ୟ ମିଳିଥିଲା । କିନ୍ତୁ ମହାରାଷ୍ଟ୍ରର ଅହମ୍ମଦନଗରରେ ରହୁଥିବା ଜଣେ ମହିଳା ଯେଉଁ ଉପହାର ପଠାଇଥିଲେ, ତାହା ଦେବେନ୍ଦ୍ର ଫଡ୍‌ନଭିସ୍‌ ଖୁବ୍‌ ଖୁସି କରାଇ ପାରିଥିଲା । ଉପହାର ଆକାରରେ ୧୦୧ଟଙ୍କା ମିଳିଥିଲେ ମଧ୍ୟ ଏହି ଉପହାର ପାଇ ଦେବେନ୍ଦ୍ର ଫଡ୍‌ନଭିସ୍‌ ଖୁସି ହେବା ସହ ନିଜ ଖୁସିକୁ ଟୁଇଟ୍‌ରରେ ସେୟାର କରିଥିଲେ ।

ସେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ରେଣୁକା ନାମକ ଜଣେ ମହିଳା ନଜର ଆସୁଛନ୍ତି । ଭିଡିଓରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ୍‌ ତାଙ୍କୁ କରିଥିବା ସାହାଯ୍ୟ ବିଷୟରେ ଜଣାଇଛନ୍ତି । କିଭଳି ଭାବେ ଚିକିତ୍ସା ପାଇଁ ୧.୯୦ଲକ୍ଷ ଟଙ୍କା ଦାନ କରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ୍‌ ୫ବର୍ଷୀୟ ଭଣଜାଙ୍କ ଜୀବନ ବଞ୍ଚାଇଥିଲେ, ତାହା ସେ ବିସ୍ତାର ଭାବେ ଜଣାଇଛନ୍ତି । ଏହା ସହ ରେଣୁକା ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ୍‌ଙ୍କୁ ଧନ୍ୟବାଦ୍‌ ଜଣାଇବା ସହ ନିଜ ଆୟରୁ ସେ ୧୦୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ସୂଚନା ମୁତାବକ, ରେଣୁକାଙ୍କ ଭଣଜା ବେଦାନ୍ତକୁ ଗତବର୍ଷ କର୍କଟ ରୋଗ ହୋଇଥିବା କହିଥିଲେ ଡ଼ାକ୍ତର । ଚିକିତ୍ସା ପାଇଁ ମାତା-ପିତାଙ୍କ ପାଖରେ ଟଙ୍କା ନଥିଲେ ମଧ୍ୟ ସେ ଚିକିତ୍ସା ପାଇଁ ବେଦାନ୍ତକୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିଛି ଦିନ ପରେ ଟଙ୍କାର ଅଭାବ ଦେଖାଯିବାରୁ ରେଣୁକା ମୁଖ୍ୟମନ୍ତ୍ରୀଙ୍କ ଫୋନକୁ ସାହାଯ୍ୟ ପାଇଁ ଏକ ମେସେଜ ପଠାଇଥିଲେ । ମେସେଜ ପାଇ ମାମଲାର ସତ୍ୟାସତ୍ୟ ଜାଣିବା ପରେ ଫଡ୍‌ନଭିସ୍‌ ଚିକିିତ୍ସା ପାଇଁ ୧.୯୦ଲକ୍ଷ ଟଙ୍କା ଦାନ କରିଥିଲେ । ଠିକ୍‌ ସମୟରେ ସାହାଯ୍ୟ ମିଳିବାରୁ ବେଦାନ୍ତଙ୍କ ଚିକିତ୍ସା ସଫଳ ହୋଇ ପାରିଥିଲା ଏବଂ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ।

ସମ୍ବନ୍ଧିତ ଖବର