ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟର ମହାବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଛକାପଞ୍ଝା

ମହାରାଷ୍ଟ୍ର : ମହାରାଷ୍ଟ୍ର ମହାପରୀକ୍ଷାରେ ପାସ୍ ହୋଇଛି ବିଜେପି। ୨୮୮ ଆସନରୁ ବିଜେପି-ଶିବସେନା ମେଂଟ ଶେଷ ଖବର ସୁଦ୍ଧା ୧୫୭ ଆସନରେ ବିଜୟୀ ହୋଇ ପୁଣିଥରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି। କଂଗ୍ରେସ ଏବଂ ଏନସିପି ମେଂଟକୁ ଶହେଟି ସିଟ୍ ମିଳିଛି। ବଡ କଥା ହେଉଛି, ନିର୍ବାଚନ ପରେ ଏଗଜିଟ୍ ପୋଲ କରିଥିବା ଅଧିକାଂଶ ଆକଳନ ଭୁଲ୍ ସାବ୍ୟସ୍ତ ହୋଇଛି। ବିଜେପିର ମିଶନ ୨୦୦ ଆସନ ଫେଲ ମାରିଥିବା ବେଳେ ଶିବସେନାର ରେଜଲ୍ଟ ବହୁତ ଭଲ ରହିଛି। ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ବିନା ପ୍ରଚାରରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିଛି।

ମହାରାଷ୍ଟ୍ରରେ ମହାବିଜୟ। ବାଜି ମାରିଲା ବିଜେପି-ଶିବସେନା ମେଂଟ। ମହାରାଷ୍ଟ୍ରରେ ପୁଣି ସରକାର ଗଢିବାକୁ ଯାଉଛି ବିଜେପି। ଶିବସେନା ସହ ମେଂଟ କରି ନିର୍ବାଚନ ଲଢିଥିବା ବିଜେପିକୁ ବହୁମତ ମିଳିଛି। ମହାରାଷ୍ଟ୍ରର ଜନତା ପୁଣିଥରେ ବିଜେପି-ଶିବସେନା ମେଂଟ ଉପରେ ବିଶ୍ୱାସ ରଖିଛନ୍ତି।

ତେବେ ମହାରାଷ୍ଟ୍ରରେ ଏଗଜିଟ୍ ପୋଲର ଆକଳନ ଭୁଲ୍ ସାବ୍ୟସ୍ତ ହୋଇଛି। ବିଜେପିର ଆସନ କମିଛି ଏବଂ ବିରୋଧୀ ଦଳର ପ୍ରଦର୍ଶନ ଭଲ ହୋଇଛି। ବଡ କଥା ହେଉଛି ମହାରାଷ୍ଟ୍ରରେ ନିର୍ବାଚନ ପୂର୍ବରୁ ମିଶନ ୨୦୦ ପ୍ଲସର ଆହ୍ୱାନ ଦେଇଥିଲା ବିଜେପି। ହେଲେ ତାହା ବହୁ ପଛରେ ରହିଯାଇଛି।

ଆଉ ଏବେ ପ୍ରଶ୍ନ ଉଠୁଛି କିଏ ହେବ ମୁଖ୍ୟମନ୍ତ୍ରୀ? ଦେବେନ୍ଦ୍ର ଫଡନବିସ ନା ଆଦିତ୍ୟ ଠାକରେ? ବିଜେପି-ଶିବସେନା ମେଂଟ ବିଜୟୀ ହେବା ପରେ ଏବେ ଦୁଇ ଦଳର ନଜର ମୁଖ୍ୟମନ୍ତ୍ରୀ ଆସନ ଉପରେ। ଫଡନବିସଙ୍କୁ ବିଜେପି ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଅଂଟା ଭିଡିଥିବା ବେଳେ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିପୁଳ ଭୋଟରେ ବିଜୟୀ ହୋଇଥିବା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛି ଶିବସେନା।

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ନିର୍ବାଚନର ସାମ୍ନା କରିଥିଲା ବିଜେପି। ତେବେ ତାହା ବିଶେଷ ପ୍ରଭାବ ପକାଇପାରିନି ଜନତାଙ୍କ ଉପରେ। ସେହିପରି ଆମେରିକାରେ ହାଉଡି ମୋଦି ଭଳି ବଡ ଧରଣର କାର୍ଯ୍ୟକ୍ରମର ଫାଇଦା ବି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଉପରେ ପଡିନାହିଁ। ଯାହା ବିଜେପି ପାଇଁ ସତର୍କ ଘଂଟି ହୋଇଛି ଏବଂ କଂଗ୍ରେସ ଶିବିରରେ ଉତ୍ସାହ ଭରିଦେଇଛି।

ଜିତିଲେ ଆଦିତ୍ୟ ଠାକରେ, ହାରିଗଲେ ପଙ୍କଜା ମୁଣ୍ଡେ। ଶିବସେନା ନେତା ଆଦିତ୍ୟ ଠାକରେ ୱର୍ଲି ଆସନରୁ ୬୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ତେବେ ପଙ୍କଜା ମୁଣ୍ଡେ ପାର୍ଲି ଆସନରୁ ଏନସିପି ପ୍ରାର୍ଥୀ ଧନଞ୍ଜୟ ମୁଣ୍ଡେଙ୍କ ଠାରୁ ହାରିଯାଇଛନ୍ତି। ବାରାମତି ଆସନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ୧ ଲକ୍ଷ ୬୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର