ମହାରାଷ୍ଟ୍ରରେ ଅଡ଼ୁଆ ଛିଣ୍ଡୁନି : ଜିଦ୍‌ରେ ଶିବସେନା ଅଟଳ, ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାପ

ବିଜେପିଠାରୁ ଲିଖିତ ପ୍ରତିଶ୍ରୁତି ଦାବି କଲା, ବିକଳ୍ପ ଚିନ୍ତା କରିବାକୁ ଉଦ୍ଧବଙ୍କ ଧମକ

ମୁମ୍ବାଇ : ହରିୟାଣାରେ ବିଜେପି ପାଇଁ ସଙ୍କଟ ଟଳି ଯାଇଥିବା ବେଳେ ମହାରାଷ୍ଟ୍ରରେ ଶିବସେନା ଅଡ଼ୁଆ ବଢ଼ାଇଛି। ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା ଲାଗୁ କରିବାପାଇଁ ଶିବସେନାର ଦାବି ଜୋର୍‌ ଧରିଛି। ଏହି ୫୦-୫୦ ଫର୍ମୁଲା ଆଧାରରେ ଉଭୟ ବିଜେପି ଏବଂ ଶିବସେନାକୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ମିଳୁ ବୋଲି ଶିବସେନା ଦାବି କରିଛି। ଶିବସେନାର ଦାବି ଅନୁଯାୟୀ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଶିବସେନା ମଧ୍ୟରେ ୫୦-୫୦ ଫର୍ମୁଲା‌ରେ ବୁଝାମଣା ହୋଇଥିଲା। ଏବେ ବିଜେପି ଏହାର ପୂର୍ବ ପ୍ରତିଶ୍ରୁତି ପୂରଣ କରୁ ଏବଂ ୫୦-୫୦ ଫର୍ମୁଲା‌ ଆଧାରରେ ମୁଖ୍ୟମନ୍ତ୍ରୀ ପଦ ଅଢ଼େଇ ବର୍ଷ ପାଇଁ ଉଭୟ ଦଳ ପାଖରେ ରହୁ ବୋଲି ଶିବସେନା ଦାବି କରିଛି। ଶିବସେନା ପକ୍ଷରୁ ଆଜି ଖୋଲାଖୋଲି ଭାବେ କୁହାଯାଇଛି ଯେ ବିଜେପି ଏ ସଂକ୍ରାନ୍ତରେ ଲିଖିତ ଆଶ୍ବାସନା ଦେବାପରେ ହିଁ ରାଜ୍ୟରେ ସରକାର ଗଠନ ହେବ। ବିଜେପି ୫୦-୫୦ ଫର୍ମୁଲା କାର୍ଯ୍ୟକାରୀ ନକଲେ ଶିବସେନା ଅନ୍ୟ ବିକଳ୍ପ ସଂପର୍କରେ ମଧ୍ୟ ଚିନ୍ତା କରିବ ବୋଲି ଦଳ ସୁପ୍ରିମୋ ଉଦ୍ଧବ ଠାକ୍‌ରେ ଧମକ ଦେଇଛନ୍ତି।

ଆଜି ମୁମ୍ବାଇରେ ଦଳର ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ ବିଜେପି ଯଦି ପୂର୍ବ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୁଏ ତା’ହେଲେ ବିଜେପି-ଶି‌ବସେନା ମେଣ୍ଟ ସରକାର ଗଠନ ସମ୍ଭବ ହେବନାହିଁ। ୫୦-୫୦ ଫର୍ମୁଲା ପ୍ରତିଶ୍ରୁତି ରକ୍ଷା କରି ଦୁଇ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ସମାନ ଭାବେ ବାଣ୍ଟିବା ଉଚିତ ବୋଲି ଉଦ୍ଧବ କହିଛନ୍ତି। ବିଜେପି ଆମ ଦାବି ଗ୍ରହଣ ନକଲେ ଆମ ପାଖରେ ବିକଳ୍ପ ରାସ୍ତା ରହିଛି ବୋଲି ଉଦ୍ଧବ ଚେତାଇ ଦେଇଛନ୍ତି।

ଶିବସେନାର ନବନିର୍ବାଚିତ ବିଧାୟକମାନେ ଆଜି ମୁମ୍ବାଇରେ ‌ବୈଠକ କରି ଆଦିତ୍ୟ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦାବି ଜୋର୍‌ଦାର କରିଥିବାରୁ ସରକାର ଗଠନ‌ ନେଇ ସମସ୍ୟା ଉପୁଜିଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ ଆସନ ହାସଲ କରିଛି। ଶିବସେନା ୫୬ ଆସନ ଦଖଲ କରିଥିବା ବେଳେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ଆଦିତ୍ୟ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ପ୍ରବଳ ଚାପ ସୃଷ୍ଟି କରିଛି। ରାଜ୍ୟରେ ଏନ୍‌ସିପି ୫୪ ଆସନ ପାଇଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା କଂଗ୍ରେସକୁ ୪୪ ଆସନ ମିଳିଛି।

ସମ୍ବନ୍ଧିତ ଖବର