ମହାରାଷ୍ଟ୍ର-ହରିୟାଣା ବିଧାନସଭା ନିର୍ବାଚନ: ଆଜି ସରିବ ପ୍ରଚାର

କଂଗ୍ରେସର ସ୍ଥିତିକୁ ‘ଇମୋଜି’ ମାଧ୍ୟମରେ ଜ‌ଣାଇଲେ ମୋଦୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଏବେ ଶେଷ ପର୍ଯ୍ୟାୟରେ ପ୍ରଚାର ସରଗରମ ହୋଇଛି। ଆସନ୍ତାକାଲି (୧୯ ତାରିଖ) ସନ୍ଧ୍ୟାରେ ଏହି ଦୁଇ ରାଜ୍ୟ ସମେତ ୧୭ଟି ରାଜ୍ୟର ୫୧ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବା। ୨୧ ତାରିଖରେ ଭୋଟ୍‌ ଗ୍ରହଣ ହେବ ଏବଂ ୨୪ରେ ଫଳାଫଳ ପ୍ରକାଶ ପାଇବ। ଭୋଟର୍‌ଙ୍କ ସମର୍ଥନ ହାସଲ ପାଇଁ ରାଜନୈତିକ ଦଳମାନେ ଜୋର୍‌ଦାର ପ୍ରୟାସ ଜାରି ରଖିଛନ୍ତି। ହରିୟାଣାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋହାନାରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସ ଦେଶ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ଦେଶହିତରେ ନିଆଯାଉଥିବା ପଦକ୍ଷେପକୁ ବିରୋଧ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ କରି ସରକାର ଜମ୍ମୁ କଶ୍ମୀରରେ ଭାରତର ସମ୍ବିଧାନକୁ ଲାଗୁ କରିଛନ୍ତି ଏବଂ ଏହାକୁ ମଧ୍ୟ କଂଗ୍ରେସ ଜୋର୍‌ଦାର ବିରୋଧ କରୁଛି। ସ୍ବଚ୍ଛ ଭାରତ ଅଭିଯାନଠାରୁ ସର୍ଜିକାଲ ଷ୍ଟ୍ରାଇକ୍‌ ପର୍ଯ୍ୟନ୍ତ ସବୁ ପଦକ୍ଷେପକୁ ବିରୋଧ କରି ଏହି ଦଳ ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛି ବୋଲି ମୋଦୀ କହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ହିସାର‌୍‌ରେ ମଧ୍ୟ ଏକ ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି। ସେଠାରେ ମୋଦୀ କହିଛନ୍ତି, କଂଗ୍ରେସ ପଡ଼ୋଶୀ ରାଷ୍ଟ୍ର ସହ ତାଳମେଳରେ ଯେଭଳି ଆଚରଣ ଦେଖାଉଛି ତାହାର ରହସ୍ୟ ଜଣାପଡ଼ୁନାହିଁ। ‌ ଧାରା ୩୭୦ ଉଚ୍ଛେଦ ହେବା ଦିନରୁ କଂଗ୍ରେସ ଯନ୍ତ୍ରଣାରେ ଅଛି । କୌଣସି ପ୍ରକାର ଔଷଧ ଏହି ଯନ୍ତ୍ରଣାରୁ କଂଗ୍ରେସକୁ ମୁକ୍ତି ଦେଇପାରିବ ନାହିଁ ବୋଲି ମୋଦୀ କହିଛନ୍ତି।

ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହେନ୍ଦ୍ରଗଡ଼ରେ ଅନୁଷ୍ଠିତ ରୢାଲିରେ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରଙ୍କୁ ବେକାରୀ ଓ କୃଷି ସମସ୍ୟା ନେଇ ଘେରିଛନ୍ତି। ସରକାର ଲୋକଙ୍କୁ କେବଳ ପ୍ରତାରଣା ବ୍ୟତୀତ ଅନ୍ୟ କିଛି ଦେଇପାରି ନାହାନ୍ତି ଏବଂ ଦେଶର ଅର୍ଥନୀତିକୁ ମୋଦୀ ବରବାଦ କରିଛନ୍ତି ବୋଲି ରାହୁଲ କହିଛନ୍ତି। ହରିୟାଣାରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବରିଷ୍ଠ କଂଗ୍ରେସ ନେତା ଭୂପେନ୍ଦ୍ର ହୁଦା, ସଚିନ ପାଇଲଟ ଏବଂ ଆନନ୍ଦ ଶର୍ମା ବିଭିନ୍ନ ଜନସଭାରେ ଉଦ୍‌ବୋଧନ ଦେଇଛନ୍ତି। ଏହା ବ୍ୟତୀତ ଆଇଏନ୍‌ଏଲ୍‌ଡି, ଜେଜେପି ଏବଂ ବିଏସ୍‌ପି ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଜନସଭା ଅନୁଷ୍ଠିତ ହୋଇଛି। ଆଜି ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି। କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଜନସଭା କରିଛନ୍ତି।

ସମ୍ବନ୍ଧିତ ଖବର