ମହାରାଷ୍ଟ୍ର-ହରିୟାଣା ବିଧାନସଭା ନିର୍ବାଚନ ସରିଲା ପ୍ରଚାର, ମୋଦୀଙ୍କର ୨୬, ରାହୁଲଙ୍କ ୭ ରୢାଲି

ପ୍ରଚାରରେ ସାମିଲ ହେଲେନାହିଁ ପ୍ରିୟଙ୍କା

ମୁମ୍ବାଇ: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ନିର୍ବାଚନ ତାରିଖ ଘୋଷଣା ହେବାଠାରୁ ଆଜି ପର୍ଯ୍ୟନ୍ତ ଉଭୟ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଟ ୨୬ଟି ରୢାଲିରେ ଉଦ୍‌ବୋଧନ ଦେଇଥିବା ବେଳେ ରାହୁଲ ଗାନ୍ଧୀଙ୍କ ରୢାଲି ସଂଖ୍ୟା ୭ରେ ସୀମିତ ରହିଥିଲା। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରଚାରରେ ଆଦୌ ସାମିଲ ହୋଇନଥିବା ବେଳେ ସୋନିଆ ମଧ୍ୟ କୌଣସି ବଡ଼ ରୢାଲିରେ ଉଦ୍‌ବୋଧନ ଦେଇନାହାନ୍ତି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆଜି ଶେଷ ଦିବସରେ ଭୋଟର୍‌ଙ୍କ ମନ ଜିଣିବାକୁ ଜୋର୍‌ଦାର ପ୍ରୟାସ କରିଛନ୍ତି। ଆସନ୍ତା ୨୧ ତାରିଖ ଦିନ ଏହି ଦୁଇ ରାଜ୍ୟ ସହିତ ୧୭ଟି ରାଜ୍ୟର ୫୧ଟି ବିଧାନସଭା ଆସନ ଏବଂ ୨ଟି ଲୋକସଭା ଆସନ ପାଇଁ ମଧ୍ୟ ଭୋଟ୍‌ ଗ୍ରହଣ ହେବ। ବିହାରର ସମସ୍ତିପୁର ଲୋକସଭା ଆସନ ଏବଂ ମହାରାଷ୍ଟ୍ରର ସତାରା ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଉତ୍ତର ପ୍ରଦେଶରେ ୧୧ଟି ବିଧାନସଭା ଆସନ, ଗୁଜରାଟର ୬ ଆସନ, କେରଳ ଏବଂ ବିହାରର ୫ଟି ଲେଖାଏଁ ଆସନ, ସିକ୍କିମର ୩ ଆସନ, ପଂଜାବ ଏବଂ ଆସାମର ୪ଟି ଲେଖାଏଁ ଆସନ, ତାମିଲନାଡ଼ୁ, ରାଜସ୍ଥାନ, ହିମାଚଳ ପ୍ରଦେଶର ୨ଟି ଲେଖାଏଁ ଆସନ ଏବଂ ଓଡ଼ିଶା, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ମେଘାଳୟ, ପୁଡ଼ୁଚେରି ଏବଂ ଅରୁଣାଚଳ ପ୍ରଦେଶର ଗୋଟିଏ ଲେଖାଏଁ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବ।

ଆଜି ଶେଷ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରମୁଖ ବିଭିନ୍ନ ଜନସଭାରେ ଉଦ୍‌ବୋଧନ ଦେଇଛନ୍ତି। ଉଭୟ ରାଜ୍ୟରେ କୃଷକଙ୍କ ସମସ୍ୟା ସମାଧାନ ପାଇଁ ବିଜେପି ଏବଂ କଂଗ୍ରେସ ଲୋଭନୀୟ ପ୍ରତିଶ୍ରୃତି ଦେଇଥିବା ବେଳେ ବିଜେପି ରାଷ୍ଟ୍ରବାଦକୁ ହିଁ ମୁଖ୍ୟ ପ୍ରସଙ୍ଗ କରିଛି। ଆଜି ହରିୟାଣାର ରେୱାଡ଼ିରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ କଂଗ୍ରେସ ଧାରା ୩୭୦କୁ ହଟାଇବା ପାଇଁ ୧୯୬୪ରେ ପ୍ରତିଶୃତି ଦେଇଥିଲା, କିନ୍ତୁ ଏହାର ତୁଷ୍ଟୀକରଣ ନୀତି ଯୋଗୁଁ ଏ ଦିଗରେ କୌଣସି ପଦକ୍ଷେପ ନେଇନଥିଲା। କଂଗ୍ରେସ ଦେଶର ସୁରକ୍ଷା ସହିତ ସାଲିସ୍‌ କରି କଶ୍ମୀରକୁ ଦୁର୍ବଳ ସ୍ଥିତିରେ ରଖିଥିଲା ଏବଂ ଏହାର ଭୁଲ୍‌ ପାଇଁ ଦେଶକୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। କଂଗ୍ରେସ ନେତାମାନେ କେବଳ ବ୍ୟକ୍ତିଗତ ସ୍ବାର୍ଥକୁ ଦୃଷ୍ଟିରେ ରଖି କାମ କରୁଥିବା ବେଳେ ବିଜେପି ଦେଶ ସ୍ବାର୍ଥରେ ବହୁତ ବଡ଼ ପଦକ୍ଷେପ ନେଇ ଧାରା ୩୭୦ ଉଚ୍ଛେଦ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଆଜି ମହାରାଷ୍ଟ୍ରର ୨ଟି ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି।

ଅନ୍ୟପକ୍ଷରେ ହରିୟାଣାରେ ଦଳର ଷ୍ଟାର୍‌ ପ୍ରଚାରକ ରହିଥିବା ରାହୁଲ ଗାନ୍ଧୀ ଆଜି ମଧ୍ୟ ଦେଶର ଆର୍ଥିକ ମାନ୍ଦାବସ୍ଥା ଏବଂ ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିଛନ୍ତି। ଲୋକଙ୍କୁ ପ୍ରତାରଣା କରି ସରକାର ଗୋଟିଏ ପରେ ଗୋଟିଏ ଭୁଲ୍‌ ପଦକ୍ଷେପ ନେଉଛନ୍ତି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର