ମହାରାଷ୍ଟ୍ର ରାଜନୀତି: ଶରଦ ପାୱାରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ସଞ୍ଜୟ ରାଉତ

ମୁମ୍ବାଇ: ମହାରା‌ଷ୍ଟ୍ରରେ ସରକାର ଗଠନକୁ ନେଇ ଜାରି ରହିଛି ରାଜନୈତିକ ଛକାପଂଝା। ଏନସିପି ଓ କଂଗ୍ରେସ ସହ ମେଂଟ କରି ସରକାର ଗଠନ କରିବାକୁ ଚାହୁଁଛି ଶିବସେନା । ଏହାରି ଭିତରେ ଗତ ୨୪ଘଂଟା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୁଇଟି ଭିନ୍ନ ବୟାନ ଶିବସେନାକୁ ଅଡୁଆରେ ପକାଇଛି । ଏବେ ମହାରାଷ୍ଟ୍ରରେ ସରକାର ଗଠନ ନେଇ କୌଣସି ଚର୍ଚ୍ଚା ହୋଇନଥିବା କହୁଛନ୍ତି ଶରଦ ପାୱାର । ଆଜି ସଂସଦରେ ପହଂଚିଥିବା ଶରଦ ପାୱାରଙ୍କୁ ମହାରାଷ୍ଟ୍ରରେ ସରକାର ଗଠନ ନେଇ ପ୍ରଶ୍ନ ପଚରାଯାଇଥିଲା ।

ତେବେ ଯିଏ ସରକାର ଗଠନ କରିବେ ତାଙ୍କୁ ଏହି ପ୍ରଶ୍ନ ପଚାରନ୍ତୁ ବୋଲି ଏହାର ଉତ୍ତରରେ କହିଥିଲେ ଶରଦ ପାୱାର । ଠିକ୍ ସେହିପରି ସୋମବାର ଦିନ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏନସିପି ମୁଖ୍ୟ କହିଥିଲେ ଯେ ମହାରାଷ୍ଟ୍ରରେ ସରକାର ଗଠନ ନେଇ କୌଣସି ଆଲୋଚନା ହୋଇନାହିଁ । ଯେହେତୁ କଂଗ୍ରେସ ଓ ଏନସିପି ମେଂଟ କରି ନିର୍ବାଚନ ଲଢିଥିଲେ ତେଣୁ ଆଗାମୀ ରଣନୀତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ସେପଟେ ଶରଦ ପାୱାରଙ୍କ ଏହି ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଆଭିମୁଖ୍ୟ ବୁଝିବାକୁ କେଇ ଜନ୍ମ ଲାଗିଯିବ ବୋଲି କହିଛନ୍ତି ସଂଜୟ ରାଉତ । ଏହାସହ ଶିବସେନା ପୁଣି ଦାବି କରିଛି ଯେ ସେ ଡିସେମ୍ବର ପ୍ରଥମ ସପ୍ତାହରେ ସରକାର ଗଠନ କରିବ ।

ସମ୍ବନ୍ଧିତ ଖବର