ଆଜି ୧୫୦ତମ ଗାନ୍ଧୀ ଜୟନ୍ତୀ: ଉତ୍ତରପ୍ରଦେଶ ବିଧାନମଣ୍ଡଳର ସ୍ବତନ୍ତ୍ର ଅଧିବେଶନ, ଲଗାତାର ୩୬ ଘଣ୍ଟା ଚାଲିବ

ଛାତ୍ରଛାତ୍ରୀ ୧୫୦ ଶବ୍ଦରେ ଆଙ୍କିଲେ ଗାନ୍ଧୀଙ୍କ ଛବି

ଲକ୍ଷ୍ନୌ: ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ନେଇ ଉତ୍ତରପ୍ରଦେଶ ବିଧାନମଣ୍ଡଳ ଏକ ସ୍ବତନ୍ତ୍ର ଅଧିବେଶନର ଆୟୋଜନ କରିବାକୁ ଯାଉଛି। ଏହି ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ୩୬ ଘଣ୍ଟା ଧରି ଚାଲିବ। କିନ୍ତୁ ବିରୋଧୀ ଏହି ଅଧିବେଶନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶର ବିଜେପି ସରକାର କେବଳ ପ୍ରମାଣ ରଖିବା ଉଦ୍ଦେଶ୍ୟରେ ଏଭଳି ଏକ କାର୍ଯ୍ୟକ୍ରମ କରୁଛନ୍ତି। ଏଥିରେ ସରକାରଙ୍କ ଆନ୍ତରିକତା କମ୍‌ ରହିଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ଅକ୍ଟୋବର ୨ ତାରିଖରେ ବିଧାନ ପରିଷଦ ଏବଂ ବିଧାନସଭାରେ ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରିବାକୁ ଉତ୍ତରପ୍ରଦେଶ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲା। ଏହି ଅଧିବେଶନ ବିନା ବିରତିରେ ୨ ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ୩ ତାରିଖ ରାତ୍ରୀ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଉତ୍ତରପ୍ରଦେଶ ସରକାରଙ୍କ ମୁଖପାତ୍ର ଶ୍ରୀକାନ୍ତ ଶର୍ମା ସୂଚନା ଦେଇଛନ୍ତି। କିନ୍ତୁ ଗାନ୍ଧୀଙ୍କୁ ନେଇ ଆୟୋଜନ ହେବାକୁ ଥିବା ଏଭଳି ଏକ ସ୍ବତନ୍ତ୍ର ଅଧିବେଶନରେ ବିରୋଧୀ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ସାମିଲ ହେବ ନାହିଁ ବୋଲି କଂଗ୍ରେସ ବିଧାୟକ ଦଳର ନେତା ଅଜୟ କୁମାର ଲାଲ୍ଲୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଉତ୍ତରପ୍ରଦେଶର ବିଜେପି ସରକାର ସମୟରେ ଚୋରି, ଡକାୟତି, ହତ୍ୟା, ଲୁଣ୍ଠନ, ମାନବିକ ଅଧିକାର ଉଲ୍ଲଂଘନ ସହ ମହିଳାମାନଙ୍କ ଉପରେ ଅତ୍ୟାଚାର ବହୁମାତ୍ରାରେ ବୃଦ୍ଧି ପାଇଛି। ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବାରେ ସରକାର ବିଫଳ ହୋଇଛନ୍ତି। ଏହି କାରଣରୁ ବିରୋଧୀମାନେ ଏ ଅଧିବେଶନରେ ଯୋଗଦେବେ ନାହିଁ ବୋଲି କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ଲାଲ୍ଲୁ କହିଛନ୍ତି। ଅପରପକ୍ଷେ, ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବ ଗାନ୍ଧୀ ଜୟନ୍ତୀ ଅବସର‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ବୋଲି ସମାଜବାଦୀ ପାର୍ଟି ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ଛାତ୍ରଛାତ୍ରୀ ୧୫୦ ଶବ୍ଦରେ ଆଙ୍କିଲେ ଗାନ୍ଧୀଙ୍କ ଛବି
ଅହମ୍ମଦାବାଦ: ଗାନ୍ଧୀ ଜୟନ୍ତୀର ଦିନକ ପୂର୍ବରୁ ଅହମ୍ମଦାବାଦ୍‌ର ସ୍କୁଲ୍‌ ଛାତ୍ରଛାତ୍ରୀମାନେ ଗାନ୍ଧୀଙ୍କ ଏକ ଅଭିନବ ଛବି ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି। ଅହମ୍ମଦାବାଦର ଏଚ୍‌.ବି. କପାଡ଼ିଆ ସ୍କୁଲର ଛାତ୍ରଛାତ୍ରୀ ୧୫୦ ଶବ୍ଦ ବ୍ୟବହାର କରି ଗାନ୍ଧୀଙ୍କ ଏକ ବିଶାଳ ଛବି ଅଙ୍କନ କରିଛନ୍ତି, ଯାହା ଗାନ୍ଧୀଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ଭା‌ବେ ବ୍ୟାଖ୍ୟା କରିପାରୁଛି ବୋଲି ସ୍କୁଲ୍‌ ଶିକ୍ଷକ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ଚିତ୍ରଟି ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛି। ୧୫୦ ଶବ୍ଦରେ ଗାନ୍ଧୀଙ୍କୁ ବ୍ୟାଖ୍ୟା କରିବା କେଡ଼େ କଷ୍ଟକର, ତାହା ସ୍କୁଲର ଶିକ୍ଷକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର