ଗାନ୍ଧୀଙ୍କ ଚିଠି ୬ହଜାର ଡଲାରରେ ନିଲାମ

ଓ୍ଵାସିଂଟନ୍‌ : ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଲେଖାଯାଇଥିବା ଏକ ଚିଠି ୬,୩୫୮ (୪.୪୫ ଲକ୍ଷ ଟଙ୍କା) ଡଲାରରେ ନିଲାମ ହୋଇଛି। ଚରଖା ପ୍ରସଙ୍ଗରେ ଗାନ୍ଧୀ ଏହି ଚିଠି ଲେଖିଥିବା ବେଳେ ଏଥିରେ କୌଣସି ତାରିଖ ପଡ଼ିନାହିଁ ବୋଲି ଆମେରିକା ଭିତ୍ତିକ ଆର୍‌ଆର୍‌ ଅକ୍ସନ୍‌ ପକ୍ଷରୁ ଦର୍ଶାଯାଇଛି। ଏକ ବିବୃତିରେ ସଂସ୍ଥା କହିଛି ଯେ ଗାନ୍ଧିଜୀ ଏହି ଚିଠି ଗୁଜରାଟୀରେ ଲେଖିଥିଲେ ଏବଂ ଏହାକୁ ସେ ଯଶୋବନ୍ତ ପ୍ରସାଦଙ୍କ ନିକଟକୁ ପଠାଇଥିଲେ। ଚିଠିରେ ସେ କପଡ଼ା ମିଲ୍‌ ସଂପର୍କରେ ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ, ‘‘ମିଲ୍‌ଗୁଡ଼ିକୁ ନେଇ ଆମେ ଯେଉଁ ଆଶା ରଖିଥିଲୁ, ତାହା ପୂରଣ ହୋଇଛି। ଆପଣ ଯାହା କହିଥିଲେ, ତାହା ମଧ୍ୟ ବାସ୍ତବରେ ପରିଣତ ହୋଇଛି। ବର୍ତ୍ତମାନ ସବୁକିଛି ଲୁଗାବୁଣା ତନ୍ତ ଉପରେ ନିର୍ଭର କରେ।’’ ଉଲ୍ଲେଖଯୋଗ୍ୟ, ଆର୍ଥିକ ସ୍ୱାଧୀନତାର ପ୍ରତୀକ ସ୍ୱରୂପ ମହାତ୍ମା ଗାନ୍ଧୀ ହାତବୁଣା ଲୁଗା ପିନ୍ଧିବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଥିଲେ। ସେ ନିଜେ ମଧ୍ୟ ସବୁବେଳେ ହାତବୁଣା ଲୁଗା ପିନ୍ଧୁଥିଲେ। ଏହାକୁ ନେଇ ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ସ୍ୱାଧୀନତା ସଂଗ୍ରାମ ବେଳେ ଗାନ୍ଧିଜୀ ଲୋକଙ୍କୁ ପ୍ରତ୍ୟେକ ଦିନ ଲୁଗାବୁଣାରେ କିଛି ସମୟ ବିତାଇବାକୁ କହୁଥିଲେ। ଏହା ସେତେବେଳେ ଏକପ୍ରକାର ବିପ୍ଳବ ଆଣିପାରିଥିଲା।

ସମ୍ବନ୍ଧିତ ଖବର