ପାକିସ୍ତାନ ନିର୍ବାଚନରେ ଜିତିଲେ ପ୍ରଥମ ଓ ଏକମାତ୍ର ହିନ୍ଦୁ ମହେଶ ମଲାନି

କରାଚି: ପାକିସ୍ତାନରେ ହୋଇଥିବା ନ୍ୟାସନାଲ ଆସେମ୍ବଲିରେ ପାକିସ୍ତାନ ପିପୁଲ୍ସ ପାଟି (ପିପିପି)ର ମହେଶ କୁମାର ମଲାନି ବିଜୟ ହାସଲ କରିଛନ୍ତି। ଦକ୍ଷିଣ ସିନ୍ଧ ପ୍ରାନ୍ତର ଥରପରକରରୁ ଜେନରାଲ ସିଟରୁ ସଂସଦୀୟ ନିର୍ବାଚନ ଜିତିଥିବା ପ୍ରଥମ ଓ ଏକମାତ୍ର ହିନ୍ଦୁ ହେଉଛନ୍ତି ମହେଶ ମଲାନି। ମଲାନି ପାକିସ୍ତାନ ପିପଲ ପାର୍ଟି ତରଫରୁ ଏନ୍‌ଏ-୨୨୨ ସିଟ୍‌ରେ ଛିଡା ହୋଇଥିଲେ।ତେବେ ୧୬ବର୍ଷ ପରେ ପାକିସ୍ତାନରେ ଅଣ-ମୁସଲମାନଙ୍କୁ ସାଧାରଣ ନିର୍ବାଚନରେ ଭୋଟ ଦେବା ଓ ନିର୍ବାଚନ ଲଢ଼ିବାର ଅଧିକ ମିଳିଛି।

ପାକିସ୍ତାନର ହିନ୍ଦୁ ରାଜସ୍ଥାନୀ ପୁଷ୍କରନା ବ୍ରାହ୍ମଣ ନେତା ମଲାନି ଏହି ନିର୍ବାଚନରେ ପାଖାପାଖି ୧୪ଜଣଙ୍କୁ ହରାଇ ନ୍ୟାସନାଲ ଆସେମ୍ବଲିରେ ବିଜୟୀ ହୋଇଛନ୍ତି। ୫୫ବର୍ଷୀୟ ମହେଶ କୁମାର ମଲାନି ନ୍ୟାସନାଲ ଆସେମ୍ବଲ(ଏନ୍‌ଏ)୨୨୨ ନିର୍ବାଚନ କ୍ଷେତ୍ରରୁ ଗ୍ରେଡ ଡେମୋକ୍ରେଟିକ ଏଲିୟାନ୍ସର ନିଜର ନିକଟତମ ପ୍ରତିଦ୍ୱଦ୍ୱୀ ଅରବ ଜକାଉଲ୍ଲାଙ୍କୁ ୧୯ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ମଲାନି ୨୦୦୩-୦୮ରେ ଆରକ୍ଷିତ ସିଟ୍‌ର ସଂସଦୀୟ ସଦସ୍ୟ ଥିଲେ।

ପାକିସ୍ତାନ ମିଡିଆ ରିପୋର୍ଟ ଅନୁସାରେ, ମଲାନିଙ୍କୁ ୩୭,୨୪୫ ଭୋଟ ମିଳିଥିବା ବେଳେ ଜକାଉଲ୍ଲାଙ୍କୁ ୧୮୩୨୩ ଭୋଟ ମିଳିଥିଲା। ମଲାନି ୨୦୧୩ରେ ହୋଇଥିବା ସାଧାରଣ ନିର୍ବାଚନରେ ସିନ୍ଧରେ ପ୍ରାନ୍ତୀୟ ଆସେମ୍ବଲି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର