ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ କାର୍ ଭିତରୁ ‘ଆଇଇଡି’ ଉଦ୍ଧାର ପରେ ନିଷ୍କ୍ରିୟ କଲେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍

ଶ୍ରୀନଗର: ଗୁରୁବାର ଦିନ ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ରାଜପଡ଼ାର ଆୟେନ୍‌ଗୁଣ୍ଡ ଅଞ୍ଚଳରେ ଗୋଟାଏ ସାଣ୍ଟ୍ରୋ କାର୍ ମଧ୍ୟରୁ ‘ଆଇଇଡ଼ି’ (ବିସ୍ଫୋରକ) ଉଦ୍ଧାର କରାଯିବା ପରେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ର କର୍ମଚାରୀମାନେ ତାହାକୁ ସଫଳତାର ସହ ନିଷ୍କ୍ରିୟ କରି ଦେଇଛନ୍ତି।

ଜମ୍ମୁ ଓ କଶ୍ମୀରର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ କାର୍‌ଟିକୁ ତଲାସ କରିବା ସମୟରେ ୪୪ ରାଷ୍ଟ୍ରୀୟ ରାଇଫଲ୍ସ, ସିଆର୍‌ପିଏଫ୍ ଏବଂ ପୁଲ୍‌ୱାମା ପୁଲିସ ସେଥିରୁ ‘ଆଇଇଡି’ ଉଦ୍ଧାର କରିଥିଲେ। ପୁଲିସ ଅଧିକାରୀଜଣକ ଆହୁରି କହିଛନ୍ତି ଯେ କାର୍‌ଟି ‘ଆଇଇଡି’ ନେଇ ଯାତାୟାତ କରୁଛି ବୋଲି ୪/୫ ଦିନ ତଳେ ନିରାପତ୍ତା ବଳଙ୍କୁ ସୂଚନା ମିଳିଥିଲା।

Image Source: Zee News

‘ଆଇଇଡି’ ଭରା କାର୍ ଚିହ୍ନଟ କରାଯିବା ପରେ ତୁରନ୍ତ ଘଟଣାସ୍ଥଳକୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ଙ୍କୁ ଡକାଯାଇଥିଲା। କଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ଠିକଣା ସମୟରେ ସୂଚନା ମିଳିବା, ପୁଲ୍‌ୱାମା ପୁଲିସ, ସିଆର୍‌ପିଏଫ୍ ଏବଂ ସେନାର ପଦକ୍ଷେପ ଯୋଗୁଁ ଏକ ଗାଡ଼ି-ଭର୍ତ୍ତି ଆଇଇଡ଼ି ବିସ୍ଫୋରଣ ଏଡ଼ାଇ ଦିଆଯାଇ ପାରିଲା।

ନିରାପତ୍ତା ବଳ ସେ ଗାଡ଼ି ଅଟକାଇବାରୁ ସେଥିରେ ଥିବା ଆତଙ୍କବାଦୀଜଣକ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର