ଆଗାମୀ ମାସରେ ମେଜରଙ୍କ ହୋଇଥାଆନ୍ତା ବିବାହ, ଆଇଇଡି ବିସ୍ଫୋରଣରେ ହେଲେ ସହିଦ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ରାଜୌରି ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଗତ ଶନିବାର ବାରୁଦ ସୁଡଙ୍ଗକୁ ନିଷ୍କ୍ରିୟ କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ମଜେର ଚିତ୍ରେଶ ବିଷ୍ଟ ସହିଦ୍‌ ହୋଇଛନ୍ତି। ଏହି ସହିଦ୍‌ଙ୍କ ଆଗାମୀ ମାର୍ଚ୍ଚ ମାସ ୭ ତାରିଖରେ ବିବାହ ସ୍ଥିର ହୋଇଥିଲା। ତେଣୁ ମଜେର ଚିତ୍ରେଶଙ୍କୁ ଫେବ୍ରୁଆରି ୨୮ରେ ଘରକୁ ଫେରିବାର ଥିଲା। କିନ୍ତୁ ଆଜି ୩୧ବର୍ଷର ମେଜର ନିଜ ପିତା-ମାତାଙ୍କୁ ଏକା କରି ଦେଶପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଉତ୍ତରାଖଣ୍ଡର ଦେହରାଦୁନ୍‌ରେ ରହୁଥିଲେ ଏହି ମେଜର।

ସହିଦ୍‌ ମଜେର ଚିତ୍ରେଶଙ୍କ ପିତା ଜଣେ ପୁଲିସକର୍ମୀ। ତାଙ୍କ ମା’ ଜଣେ ଗୃହୁଣୀ। ମେଜେର ବିଷ୍ଟଙ୍କୁ ନୌରେସ ସେକ୍ଟରରେ ବାରୁଦ ସୁଡଙ୍ଗ ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ବିଷ୍ଟ ବୋମା ନିଷ୍କ୍ରିୟ ଦଳର ନେତୃତ୍ୱ କରିଥିଲେ। ସେ ଗୋଟିଏ ବାରୁଦ ସୁଡ଼ଙ୍ଗକୁ ସଫଳତା ସହ ନିଷ୍କ୍ରିୟ କରି ଦେଇଥିଲେ, କିନ୍ତୁ ଦ୍ୱିତୀୟ ସୁଡ଼ଙ୍ଗକୁ ନିଷ୍କ୍ରିୟ କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ମେଜର ବିଷ୍ଟ ସହିଦ ହୋଇଯାଇଥିଲେ। ନିୟନ୍ତ୍ରଣ ରେଖାରୁ ପାଖାପାଖି ୧.୫କିମି ଦୂରରେ ପାକିସ୍ତାନ ଦ୍ୱାରା ଏହି ବିସ୍ଫୋଟକ ଖଞ୍ଜା ଯାଇଥିଲା।

 

ସମ୍ବନ୍ଧିତ ଖବର