କଶ୍କୀରୀ ଯୁବତୀଙ୍କ ସହ ଶ୍ରୀନଗର ହୋଟେଲରୁ ଧରା ପଡ଼ିଥିବା ମେଜର ଲିତୁଲ ଗୋଗେଇ ସେନା କୋର୍ଟ ଦ୍ୱାରା ହୋଇପାରନ୍ତି ଦୋଷୀ ସାବ୍ୟସ୍ତ!

ନୂଆଦିଲ୍ଲୀ: ନିକଟ ଅତୀତରେ ଶ୍ରୀନଗରର ଏକ ହୋଟେଲରୁ ଜନୈକା କଶ୍ମିରୀ ଯୁବତୀଙ୍କ ସହ ଜମ୍ମୁ- କଶ୍ମୀର ପୁଲିସ୍‌ ଦ୍ୱାରା ଉଦ୍ଧାର ହୋଇଥିବା ଭାରତୀୟ ସେନାର ଚର୍ଚ୍ଚିତ ମେଜର ଲିତୁଲ୍‌ ଗୋଗେଇ ସେନା କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇପାରନ୍ତି! ଜମ୍ମୁ- କଶ୍ମୀରର ବିବାଦୀୟ ଅଞ୍ଚଳରେ ଜଣେ ସ୍ଥାନୀୟ ଯୁବତୀଙ୍କ ସହ ସଂପର୍କ ରଖିବା ଏବଂ ନିଜ ଡ୍ୟୁଟି ଅଞ୍ଚଳ ଛାଡ଼ି ବିବାଦୀୟ ଅଞ୍ଚଳକୁ ଯିବା ଘଟଣାରେ ମେଜର ଗୋଗେଇ ସେନା ଆଚରଣ ବିଧିର ଉଲ୍ଲଂଘନ କରିଥିବା, ତାଙ୍କ ବିରୋଧରେ ବିଚାର କରୁଥିବା ସେନା କୋର୍ଟ ହୃଦବୋଧ କରୁଛନ୍ତି। ତେଣୁ, ମେଜର ଗୋଗେଇଙ୍କ ଏତାଦୃଶ ଆଚରଣ ବିଧି ଉଲ୍ଲଂଘନ ପାଇଁ ସେନା କୋର୍ଟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଥିବା, ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଜାତୀୟ ସ୍ତରର ଗଣମାଧ୍ୟମମାନେ ପ୍ରକାଶ କରିଛନ୍ତି। ସେନା କୋର୍ଟ ଏହି ମାମଲାର ବିଚାର ଇତିମଧ୍ୟରେ ଶେଷ କରିସାରିଛନ୍ତି। କେବଳ ସେନାର କର୍ଣ୍ଣେଲମାନେ ଏକତ୍ରିତ ହୋଇ ତାଙ୍କ ବିରୋଧରେ ନିଆଯିବାକୁ ଥିବା ଦଣ୍ଡାଦେଶ ଉପରେ ମୋହର ଲଗାଇବା ପରେ ତାଙ୍କୁ ଏହି ମାମଲାରେ ସେନା କୋର୍ଟର ଚୂଡ଼ାନ୍ତ ରାୟ ଶୁଣାଇ ଦିଆଯିବ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ମେ ୨୩ ତାରିଖରେ ଶ୍ରୀନଗରର ଏକ ହୋଟେଲ ମଧ୍ୟରୁ ଜନୈକା କାଶ୍ମିରୀ ଯୁବତୀଙ୍କ ମେଜର ଲିତୁଲ୍‌ ଗୋଗେଇଙ୍କୁ ଜମ୍ମୁ- କାଶ୍ମୀର ପୁଲିସ୍‌ ଉଦ୍ଧାର କରିବା ପରେ ସେ ବିବାଦର ଘେର ମଧ୍ୟକୁ ଆସି ଯାଇଥିଲେ। ଏହି ଘଟଣା ଜାଣିବା ପରେ ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ ମେଜର ଗୋଗେଇଙ୍କ ବିରୋଧରେ ଆଗତ ଅଭିଯୋଗର ବିଚାର ସେନା କୋର୍ଟକୁ ହସ୍ତାନ୍ତର କରିବା ସହ ସେନା କୋର୍ଟର ନିଷ୍ପତ୍ତି ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର