ପୁଲିସ୍‌ ଜବତ କରିଥିବା ଛୁରୀରେ ଶୈଲଜାଙ୍କୁ ହତ୍ୟା କରାଯାଇ ନାହିଁ ; ପୁଲିସ୍‌ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି ଅଭିଯୁକ୍ତ ମେଜର

ନୂଆଦିଲ୍ଲୀ: ପରକୀୟା ପ୍ରେମରୁ ଜଣେ ସେନା ମେଜରଙ୍କ ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ମେଜର ନିଖିଲ ହାଣ୍ଡା ପୁଲିସ୍‌ ତଦନ୍ତକୁ ବାଟବଣା କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ମିଥ୍ୟା ସୂଚନା ଦେଉଛି ବୋଲି ଦିଲ୍ଲୀ ପୁଲିସ୍‌ର ଜନୈକ ବରିଷ୍ଠ ଅଧିକାରୀ ଆଜି ଗଣମାଧ୍ୟମକୁ କହିଛନ୍ତି। ଶୈଲଜା ଦ୍ୱିବେଦୀଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ନିଖିଲ ଯେଉଁ ଛୁରୀର ବ୍ୟବହାର କରିଥିଲା ବୋଲି କହୁଥିଲା ଏବଂ ଯେଉଁ ଛୁରୀକୁ ପୁଲିସ୍‌ ଅଭିଯୁକ୍ତର ଗାଡ଼ି ଭିତରୁ ଜବତ କରିଛି, ପ୍ରକୃତରେ ସେଇ ଛୁରୀରେ ଅଭିଯୁକ୍ତ ନିଖିଲ ଶୈଲଜାଙ୍କୁ ହତ୍ୟା କରିନାହିଁ। ପୁଲିସ୍‌ ତଦନ୍ତକୁ ବାଟବଣା କରିବା ଉଦ୍ଦେଶ୍ୟରେ ନିଖିଲ ବିଭିନ୍ନ ସମୟରେ ପୁଲିସ୍‌କୁ ଭିନ୍ନ ଭିନ୍ନ କଥା କହୁଛି।

ଅଭିଯୁକ୍ତ ହତ୍ୟାକାରୀ ନିଖିଲ ଯେଉଁ ମାରଣାସ୍ତ୍ର ବ୍ୟବହାର କରି ଶୈଲଜାଙ୍କୁ ହତ୍ୟା କରିଛି ଯଦିଓ ତାକୁ ଏଯାବତ୍‌ ଜବତ କରିବାରେ ଆମେ ସମର୍ଥ ହୋଇନାହୁଁ, ତଥାପି ଖୁବ୍‌ଶୀଘ୍ର ହତ୍ୟା ପାଇଁ ଅଭିଯୁକ୍ତ ବ୍ୟବହାର କରିଥିବା ମାରଣାସ୍ତ୍ରକୁ ଆମେ ଖୁବ୍‌ ଶୀଘ୍ର ଜବତ କରିବାରେ ସମର୍ଥ ହେବୁ ବୋଲି ଗଣମାଧ୍ୟମକୁ ଦିଲ୍ଲୀ ପଶ୍ଚିମାଞ୍ଚଳର ଡିସିପି ବିଜୟ କୁମାର। ଡିସିପି ବିଜୟ କୁମାର କହିଛନ୍ତି ଯେ ଅଭିଯୁକ୍ତ ନିଖିଲ ଯଦିଓ ପ୍ରତ୍ୟେକ ଦିନ ନୂଆ ନୂଆ ମିଛ ଓ କାହାଣୀ କହି ଆମ ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ ଚଳାଇଛି, ତଥାପି ଆମ ତଦନ୍ତ ଠିକ୍‌ ବାଟରେ ଚାଲିଛି। ଆମ ତଦନ୍ତର ୯୦ ପ୍ରତିଶତ ଶେଷ ହୋଇଗଲାଣି ଏବଂ ଆମେ ଅଭିଯୁକ୍ତ ଠାରୁ ଖୁବ୍‌ଶୀଘ୍ର ସମସ୍ତ ସତ୍ୟ ଆଦାୟ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିବୁ।

ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ, ନିଖିଲ ହାଣ୍ଡାଙ୍କ ସହ ପରକୀୟା ପ୍ରେମରେ ଲିପ୍ତ ଥିବା ଶୈଲଜା ତାଙ୍କୁ ବିବାହ କରିବା ପାଇଁ ମନା କରିଦେବା ପରେ ଅଭିଯୁକ୍ତ ନିଖିଲ ଗତ ୨୩ ତାରିଖରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଶୈଲଜାଙ୍କ ବେକକାଟି ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ତାଙ୍କ ଉପରେ ନିଜ ଗାଡ଼ି ଚଢ଼ାଇ ଫେରାର ହୋଇ ଯାଇଥିଲା। ପରେ ଦିଲ୍ଲୀ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ଅଭିଯୁକ୍ତ ନିଖିଲକୁ ତା’ ଗାଡ଼ି ସହ ଉତ୍ତରପ୍ରଦେଶର ମିରଟରୁ ଜୁନ୍‌ ୨୪ ତାରିଖରେ ଗିରଫ କରିଥିଲା।

ସମ୍ବନ୍ଧିତ ଖବର