ଏଣିକି ଲକ୍‌ହିଡ୍‌ ମାର୍ଟିନ୍‌ ଭାରତରେ ନିର୍ମାଣ କରିବ ଏଫ୍‌-୧୬ ଲଢ଼ୁଆ ବିମାନର ଡେଣା; ପରେ ଭାରତରେ ନିର୍ମିତ ହେବ ସଂପୂର୍ଣ୍ଣ ବିମାନ

ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାରେ ଟାଟା ଆଡଭାନ୍ସଡ୍‌ ସିଷ୍ଟମସ୍‌ ଲିମିଟେଡ୍‌ (ଟିଏଏସ୍‌ଏଲ୍‌) ସହ ବୁଝାମଣା ସ୍ୱାକ୍ଷର କଲା ଲକ୍‌ହିଡ୍‌ ମାର୍ଟିନ୍‌

ନୂଆଦିଲ୍ଲୀ: ଆମେରିକାର ଖ୍ୟାତିସଂପନ୍ନ ଲଢ଼ୁଆ ବିମାନ ନିର୍ମାଣକାରୀ କମ୍ପାନି ଲକ୍‌ହିଡ୍‌ ମାର୍ଟିନ୍‌ ତା’ର ଅତ୍ୟାଧୁନିକ ଏଫ୍‌-୧୬ ଲଢ଼ୁଆ ବିମାନର ଡେଣାକୁ ଏଣିକି ଭାରତରେ ନିର୍ମାଣ କରିବ। ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାରେ ଏଫ୍‌- ୧୬ ଲଢ଼ୁଆ ବିମାନର ଡେଣାକୁ ଭାରତରେ ନିର୍ମାଣ କରିବା ପାଇଁ ଆଜି ଲକ୍‌ହିଡ୍‌ ମାର୍ଟିନ୍‌ କମ୍ପାନି ଆଜି ଏସଂକ୍ରାନ୍ତୀୟ ଏକ ବୁଝାମଣା ଟାଟା ଆଡଭାନ୍ସଡ୍‌ ସିଷ୍ଟମସ୍‌ ଲିମିଟେଡ୍‌ (ଟିଏଏସ୍‌ଏଲ୍‌) ସହ ସ୍ୱାକ୍ଷର କରିଛି। ଟାଟା ଓ ମାର୍ଟିନ୍‌ ମିଳିତ ଭାବେ ଭାରତରେ ଏଫ୍‌- ୧୬ ଲଢ଼ୁଆ ବିମାନର ଡେଣାକୁ ନିର୍ମାଣ କରିବେ।

ପରବର୍ତ୍ତୀ ସମୟରେ ଟାଟା ସହ ମିଳିତ ହୋଇ ମାର୍ଟିନ୍‌ କମ୍ପାନି ପ୍ରଥମେ ତା’ର ସି- ୧୩୦ଜେ (ସୁପର ହର୍‌କୁଲେସ୍‌ ଏୟାରଲିଫ୍ଟର) ଏସ୍‌-୯୨ (ହେଲିକପ୍ଟର) ସଂପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଭାରତରେ ଆରମ୍ଭ କରିବ ବୋଲି ଲକ୍‌ହିଡ୍‌ ମାର୍ଟିନ୍‌ ଏରୋନଟିକ୍ସର ଭାଇସ୍‌ ପ୍ରେସିଡେଣ୍ଟ ବିବେକ ଲାଲ ଘୋଷଣା କରିଛନ୍ତି। ଟାଟା ସହିତ ମିଳିତ ହୋଇ ଆମେ ଭାରତରୁ ବିଶ୍ୱ ସ୍ତରୀୟ ଲଢ଼ୁଆ ବିମାନ ନିର୍ମାଣ କରିବା ସହ ଭାରତରୁ ଖୁବ୍‌ ଶୀଘ୍ର ଅତ୍ୟାଧୁନିକ ଏଫ୍‌- ୧୬ ଲଢ଼ୁଆ ବିମାନର ନିର୍ମାଣ ମଧ୍ୟ ଆରମ୍ଭ କରିବା ସହ ସେସବୁକୁ ଭାରତରୁ ହିଁ ବିଦେଶକୁ ରପ୍ତାନି କରିବାର ଯୋଜନା ରଖିଛୁ ବୋଲି କହିଛନ୍ତି, ଲକ୍‌ହିଡ୍‌ ମାର୍ଟିନ୍‌ ଏରୋନଟିକ୍ସର ଭାଇସ୍‌ ପ୍ରେସିଡେଣ୍ଟ ବିବେକ ଲାଲ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଲକ୍‌ହିଡ୍‌ ମାର୍ଟିନ୍‌ ଏରୋନଟିକ୍ସ ପକ୍ଷରୁ ଆଜି ସୁଦ୍ଧା ୪,୬୦୪ଟି ଅତ୍ୟାଧୁନିକ ଏଫ୍‌- ୧୬ ଲଢ଼ୁଆ ବିମାନର ନିର୍ମାଣ କରି ସାରିଲାଣି। ଯୁକ୍ତରାଷ୍ଟ୍ର ଆମେରିକା ସମେତ ବିଶ୍ୱର ୨୮ଟି ରାଷ୍ଟ୍ରର ବାୟୁସେନାରେ ଏଫ୍‌-୧୬ ନିର୍ଭରଯୋଗ୍ୟ ଲଢ଼ୁଆ ବିମାନର ମାନ୍ୟତା ପାଇ ସାମିଲ ହେବା ସହ ନିଜ ଦକ୍ଷତାର ପ୍ରମାଣ ଦେଇ ସାରିଛି।

ସମ୍ବନ୍ଧିତ ଖବର