ହିମାଚଳ ବନ୍ୟାରେ ୩୦ଜଣିଆ ଫିଲ୍ମ ୟୁନିଟ ସହ ଫସିଛନ୍ତି ମଲୟାଲମ ଅଭିନେତ୍ରୀ ମଞ୍ଜୁ, ଜାରି ରହିଛି ଉଦ୍ଧାରକାର୍ଯ୍ୟ

ନୂଆଦିଲ୍ଲୀ : ଲୋକପ୍ରିୟ ମଲୟାଲମ ଅଭିନେତ୍ରୀ ମଞ୍ଜୁ ଓ୍ଵାରିୟର ଏକ ଫିଲ୍ମର ସୁଟିଂ କରିବାକୁ ଯାଇ  ୩୦ଜଣ କ୍ର୍ୟୁ ସଦସ୍ୟଙ୍କ ସହ ହିମାଚଳ ବନ୍ୟାରେ ଫସିଥିବା ଜଣାପଡ଼ିଛି । ହିମାଚଳର ମଣ୍ଡି ଜିଲ୍ଲାରେ ଥିବା ଚତ୍ରାକୁ ସୁଟିଂ ପାଇଁ ଯାଇଥିବା ବେଳେ ପୂରା ଟିମ୍‌ ବନ୍ୟାରେ ଫସି ଯାଇଥିଲେ। ଫୋନର ନେଟ୍‌ଓ୍ଵାକ୍‌ର୍ ନଥିବା ବେଳେ ବହୁ କଷ୍ଟରେ ମଞ୍ଜୁ ନିଜ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ । ଯାହା ପରେ ମଞ୍ଜୁଙ୍କ ଭାଇ ମଧୁ ବିଦେଶ ରାଜ୍ୟମନ୍ତ୍ରୀ ଭି ମୁରଲୀଧରଣଙ୍କୁ ସଂପର୍କ କରି ପୂରା ଘଟଣା ଜଣାଇଥିଲେ । ଏ ନେଇ ସୂଚନା ପାଇ ଭି ମୁରଲୀଧରନ୍ ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ତୁରନ୍ତ ସାହାଯ୍ୟ କରିବାକୁ କହିଥିଲେ । ଏହା ପରେ ହିମାଚଳପ୍ରଦେଶ ସରକାର ଏବେ ଉଦ୍ଧାରକାର୍ଯ୍ୟ ପାଇଁ ଆଦେଶ ଦେଇଛନ୍ତି । ଉଦ୍ଧାରକାରୀ ଟିମ୍‌ କ୍ର୍ୟୁ ସଦସ୍ୟଙ୍କ ସହ ସଂପର୍କରେ ଥିବା ସହ ଆଜି ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ଜଣା ପଡ଼ିଛି।

ସୂଚନା ମୁତାବକ, ୩ସପ୍ତାହ ପୂର୍ବରୁ ମଞ୍ଜୁ ଏବଂ ତାଙ୍କର ୩୦ଜଣିଆ ଟିମ୍‌ ସନଲ କୁମାର ଶଶିଧରନଙ୍କ  ନିର୍ଦ୍ଦେଶିତ ଫିଲ୍ମର ସୁଟିଂ ପାଇଁ ହିମାଚଳ ଯାଇଥିଲେ । ହଠାତ୍‌ ବନ୍ୟା ଜଳ ଆସିବାରୁ ସେମାନେ ସେଠାରୁ ବାହାରି ପାରି ନଥିଲେ । ଫୋନରେ ନେଟ୍‌ଓ୍ଵାର୍କ ନଥିବାରୁ କେହି ନିଜ ପରିବାର ସହ ସଂପର୍କ ମଧ୍ୟ କରି ପାରୁ ନଥିଲେ । ବହୁ କଷ୍ଟରେ ମଞ୍ଜୁ ନିଜ ପରିବାର ସହ ଯୋଗାଯୋଗ କରି ପୂରା ଘଟଣା ଜଣାଇବା ସହ ସରକାରଙ୍କୁ ସାହାଯ୍ୟ କରିବାକୁ କହିବା ପାଇଁ କହିଥିଲେ ।

ସମ୍ବନ୍ଧିତ ଖବର