ଭାରତକୁ ଖୁସି କରିବାକୁ ଉଦ୍ୟମ : ୧.୩ ଲକ୍ଷ ଟନ ଚିନି କିଣିବାକୁ ପ୍ରସ୍ତାବ ଦେଲା ମାଲେସିଆର ରାଷ୍ଟ୍ରାୟତ୍ତ କମ୍ପାନି

ନୂଆଦିଲ୍ଲୀ : ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ଭାରତ ବିରୋଧୀ ମନ୍ତବ୍ୟ କାରଣରୁ ସେଠାକାର ଶିଳ୍ପଜଗତ ଏବେ ପ୍ରବଳ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ବାହାର କରିବାକୁ ସେଠାକାର କମ୍ପାନିମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।
ମାଲେସିଆର ରାଷ୍ଟ୍ରାୟତ୍ତ ପାମ ଅଏଲ (ତାଳତେଲ) ବିଶୋଧନକାରୀ କମ୍ପାନି ଏଫଜିବି ହୋଲଡିଂର ଶାଖା କମ୍ପାନି ତଥା ମାଲେସିଆର ବୃହତ୍ତମ ଚିନି ବିଶୋଧନକାରୀ କମ୍ପାନି ଏମଏସଏମ ମାଲେସିଆ ହୋଲଡିଂ ବେରହାଡ ଭାରତରୁ ପ୍ରାୟ ୧ ଲକ୍ଷ ୩୦ ହଜାର ଟନ ଚିନି କିଣିବାକୁ ପ୍ରସ୍ତାବ ଦେଇଛି । ଏହାର ମୂଲ୍ୟ ପ୍ରାୟ ୪୯.୨୦ ନିୟୁତ ଡଲାର ହେବ । ଭାରତକୁ ଖୁସି କରିବାକୁ କମ୍ପାନି ଏତେ ପରିମାଣର ଅଶୋଧିତ ଚିନି କିଣିବାକୁ ପ୍ରସ୍ତାବ ଦେଇଥିବା ମନେକରାଯାଉଛି ।
ମାଲେସିଆର ପ୍ରଧାନମନ୍ତ୍ରୀ ମହାଥୀର ବାରମ୍ବାର ଭାରତ ବିରୋଧରେ ବୟାନ ଦେଉଥିବାରୁ ଭାରତ ମାଲେସିଆରୁ ପାମ ଅଏଲ କିଣିବା ବନ୍ଦ କରିଦେଇଛି । ଗତ ବର୍ଷ ମହାଥୀର କଶ୍ମୀର ସଂପର୍କରେ ଓ ନିକଟରେ ନାଗରିକତା ଆଇନ ସଂପର୍କରେ ମନ୍ତବ୍ୟ ଦେଇଥିଲେ । ତାଙ୍କ ମନ୍ତବ୍ୟକୁ ଭାରତ ବିରୋଧ କରୁଛି ।
ଭାରତ ମାଲେସିଆର ବୃହତମ ଖାଇବା ତେଲ ଗ୍ରାହକ ହୋଇଥିବାରୁ ଭାରତୀୟ କମ୍ପାନିମାନେ ନ କିଣିରେ ମାଲେସିଆର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । କିନ୍ତୁ ଏହାର ଫାଇଦା ପଡୋଶୀ ଇଣ୍ଡୋନେସିଆ ନେଉଛି ।

ସମ୍ବନ୍ଧିତ ଖବର