କାଶ୍ମୀରକୁ ନେଇ ଭାରତ-ମାଳଦ୍ୱୀପ ବିବାଦ

ନୂଆଦିଲ୍ଲୀ:  ଭାରତ ଓ ମାଳଦ୍ୱୀପ ମଧ୍ୟରେ ସଂପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି । ନିକଟରେ ମାଳଦ୍ୱୀପର ଜଣେ ମନ୍ତ୍ରୀ କାଶ୍ମୀର ଉପରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । ମାଳଦ୍ୱୀପ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ ସରକାରରେ ଜଣେ ବରିଷ୍ଠ ମନ୍ତ୍ରୀ ମହମ୍ମନ ସାଇନି କହିଥିଲେ ଯେ ମାଳଦ୍ୱୀପ ଯଦି କାଶ୍ମୀର ସମସ୍ୟାରେ ହସ୍ତକ୍ଷେପ କରୁନି ତେବେ ଭାରତ କାହିଁକି ଆମ ମାମଲାରେ ମୁଣ୍ଡ ପୁରାଉଛି ? ଏହି ମନ୍ତବ୍ୟକୁ ନେଇ ଭାରତ ସରକାର କଡ଼ା ପ୍ରତିକ୍ରିୟା ରଖିବା ପରେ ମାଳଦ୍ୱୀପ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କାଶ୍ମୀର ହେଉଛି ଏକ ଦ୍ୱିପାକ୍ଷିକ ସମସ୍ୟା । ଏହାକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରାଯିବା ଆବଶ୍ୟକ । ଭାରତ ସରକାର କହିଥିଲେ ଯେ ମାଳଦ୍ୱୀପର ସମସ୍ୟା ହେଉଛି କାଶ୍ମୀର ଠାରୁ ଅଲଗା । ମାଳଦ୍ୱୀପ ରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି, କିନ୍ତୁ କାଶ୍ମୀର  ଏକ ପାକ୍‌ ପ୍ରୟୋଜିତ ଆତଙ୍କବାଦୀ ସମସ୍ୟା ।  ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୫ ତାରିଖରେ ମାଳଦୀପର ସୁପ୍ରିମକୋର୍ଟ ଜେଲରେ ଥିବା ୯ଜଣ ରାଜନୈତିକ ନେତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଷ୍ଟ୍ରପତି ୟମିନ ଏହାକୁ ମାନିବାକୁ ମନା କରି ଜରୁରୀପରିସ୍ଥିତି ଲଗାଇଥିଲେ । ଏହା ସହିତ ବିରୋଧୀ ଦଳ ନେତା ଓ ବିଚାରପତିମାନଙ୍କୁ ଜେଲରେ ପୁରାଇଥିଲେ । ଏହି ୯ ଜଣଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଗୟୁମ ଓ ଦୁଇ ଜଣ ବିଚାରପତି । ଫେବ୍ରୁଆରୀ ୨୦ରେ ସେ ଜରୁରୀ ପରିସ୍ଥିତିକୁ ମାସ ପାଇଁ ବଢାଇଦେଇଥିଲେ ।

 

 

 

ସମ୍ବନ୍ଧିତ ଖବର