ଭାରତ-ମାଳଦ୍ୱୀପ ସଂପର୍କରେ ସୁଧାର, ଫେରାଇବ ନାହିଁ ଭାରତୀୟ ହେଲିକାପ୍ଟର

ନୂଆଦିଲ୍ଲୀ : ଭାରତ ଓ ମାଳଦ୍ୱୀପ ମଧ୍ୟରେ କ୍ରମଶଃ ଅବନତି ହେଉଥିବା ବେଳେ ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଭାରତ ମାଳଦ୍ୱୀପକୁ ଦେଇଥିବା ଦୁଇଟି ଧ୍ରୁବ ହେଲିକାପ୍ଟର ଫେରାଇ ନେବାକୁ ଗତ ଏପ୍ରିଲମାସରେ ମାଳଦ୍ୱୀପ ସରକାର କହିଥିଲେ । ଭାରତ ମଧ୍ୟ ଏଥିଲାଗି ପ୍ରକ୍ରିୟା ଆରମ୍ଭ କରିଦେଉଥିଲା । କିନ୍ତୁ ଏବେ ଉଭୟ ଦେଶ ମଧ୍ୟ କୂଟନୈତିକ ସ୍ତରରେ କଥାବାର୍ତ୍ତାପରେ ଏହି ଦୁଇଟି ହେଲିକାପ୍ଟରକୁ ରଖିବା ପାଇଁ ମାଳଦ୍ୱୀପ ରାଜି ହୋଇଛି ।
ମାଳଦ୍ୱୀପରେ ଥିବା ଭାରତର ଦୁଇଟି ସାମରିକ ହେଲିକାପ୍ଟରକୁ ଫେରାଇ ନେବା ପାଇଁ ମାଳଦ୍ୱୀପ କହିବା ପରେ ଭାରତ ସରକାର ସେଗୁଡ଼ିକୁ ତୁରନ୍ତ ଫେରାଇଆଣିବାକୁ କୋଷ୍ଟଗାର୍ଡକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଉକ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି । ମାଳଦ୍ୱୀପର ଦକ୍ଷିଣରେ ଥିବା ଆଦୁ ଦ୍ୱୀପର ଗେନ ଏୟାରଫିଲ୍ଡରେ ଓ ଉତ୍ତରରେ ଥିବା ଲାମୁଠାରେ ଥିବା ଏୟାରଫିଲ୍ଡରେ ଭାରତର ଏହି ଦୁଇଟି ହେଲିକାପ୍ଟର ରହିଛି । ଏଗୁଡ଼ିକ ସହ ୧୨ ଜଣ ପାଇଲଟ ସହ ୨୫ ଜଣ ନୌସେନା ଓ କୋଷ୍ଟଗାର୍ଡ କର୍ମଚାରୀ ଅଛନ୍ତି । ଗତ ମେ ମାସରେ ଜାତିସଂଘର ଏକ ଅସ୍ଥାୟୀ ସଦସ୍ୟ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଭାରତ ମାଳଦ୍ୱୀପ ବିପକ୍ଷରେ ଓ ଇଣ୍ଡୋନେସିଆ ସପକ୍ଷରେ ଭୋଟ ଦେଇଥିଲା । ଏହି ଭୋଟରେ ମାଳଦଦ୍ୱୀପ ଶୋଚନୀୟ ଭାବେ ୧୪୪-୪୬ ଭୋଟ ବ୍ୟବଧାନରେ ହାରିଥିଲା ।

ସମ୍ବନ୍ଧିତ ଖବର