ମାଳଦୀପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ମେଣ୍ଟ ପ୍ରାର୍ଥୀ ବିଜୟୀ, ଚୀନକୁ ଝଟକା

ମାଲେ: ମାଳଦୀପର ରାଷ୍ଟ୍ରପତି ନିର୍ବାଚନରେ ଚୀନର ପ୍ରଚଣ୍ଡ ସପକ୍ଷବାଦୀ ତଥା ମାଲଦୀପର ରାଷ୍ଟ୍ରପତି ଅବଦୁଲ୍ଲା ୟେମିନ୍‌ଙ୍କୁ ବଡ଼ ଝଟକା ଲାଗିଛି। ସୋମବାର ସକାଳେ ମାଳଦୀପର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆନୁଷ୍ଠାନିକଭାବେ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଯେଉଁ ଅନ୍ତରୀଣ ଘୋଷଣା କରାଯାଇଛି ଏଥିରେ ମିଳିତ ବିରୋଧୀ ମେଣ୍ଟର ନେତା ତଥା ମାଲଦୀପ ସଂସଦର ବିରୋଧୀ ଦଳ ନେତା ଇବ୍ରାହିମ ମହମ୍ମଦ ସୋଲିହ ବିଜୟୀ ହୋଇଛନ୍ତି। ଏହା ଫଳରେ ଚୀନ୍‌କୁ ମଧ୍ୟ ବଡ଼ ଝଟକା ଲାଗିଛି। ମାଲଦୀପର ନିର୍ବାଚନ କମିସନ ଙ୍କ ପକ୍ଷରୁ ପକାଶିତ ଫଳାଫଳରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଇବ୍ରହିମ୍‌ ମହମ୍ମଦ ସୋଲିହ ୫୮.୩ ପ୍ରତିଶତ ଭୋଟ୍‌ ପାଇଛନ୍ତି।ତେବେ ମାଳଦୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ସରକାରୀ ଘୋଷଣାକୁ ଅପେକ୍ଷା ନ କରି ଭାରତ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛି।ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମାଳଦୀପର ତୃତୀୟ ରାଷ୍ଟ୍ରପତି ନିବାଚନ ସୁରୁଖୁରୁରେ ହେବା ଓ ଏଥିରେ ଇବ୍ରାହିମ୍‌ ମହମ୍ମଦ ସୋଲିହ ବିଜୟୀ ହୋଇଥିବାରୁ ଭାରତ ତାଙ୍କୁ ଅଭିନନ୍ଦନ ଜଣାଉଛି। ମାଲଦୀପରେ ଗଣତାନ୍ତ୍ରିକ ଶକ୍ତିର ବିଜୟ ହୋଇଛି ଓ ଆଗାମୀ ଦିନରେ ଭାରତ ମାଳଦୀପ ସହିତ ସୁସମ୍ପର୍କ ରକ୍ଷା କରି କାର୍ଯ୍ୟ କରିବ ବୋଲି କୁହାଯାଇଛି।
ସେହିପରି ଆମେରିକା ମଧ୍ୟ ନବ ନିର୍ବାଚିତ ରାଷ୍ଟପତି ଓ ମାଳଦୀପର ଲୋକେ ଏକ ଗଣତାନ୍ତ୍ରିକ ପ୍ରକି୍ରୟାର ଅଂଶ ହୋଇଥିବାରୁ ସମସ୍ତଙ୍କୁ ଆମେରିକା ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସମଗ୍ର ମାଳଦୀପରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର