ଉପହାର ଫେରାଇ ପୁଣି ନୂଆଦିଲ୍ଲୀକୁ ଅପମାନିତ କଲା ମାଲେ

ନୂଆଦିଲ୍ଲୀ: ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ନିମ୍ନଗାମୀ ହେଉଥିବା ବେଳେ ଭାରତ ଉପହାର ଦେଇଥିବା ଦୁଇଟି ନୌସେନା ହେଲିକାପ୍ଟର୍‌ରୁ ଗୋଟିଏ ଫେରସ୍ତ ନେଇ ଯିବାକୁ ତାହାର ରାଜଧାନୀ ମାଲେ ଭାରତ ସରକାରଙ୍କୁ କହିଛି।

ଆନୁଷ୍ଠାନିକ ସୂତ୍ରରୁ ପ୍ରକାଶ, ବାସ୍ତବ କାରଣ କ’ଣ ତାହା ଜାଣିବାକୁ ଅବ୍ଦୁଲ୍ଲା ୟାମୀନ ସରକାରଙ୍କ ସହ ଆଲୋଚନା ଚାଲିଥିବା ବେଳେ ଶୀର୍ଷସ୍ତରୀୟ ମାଳଦ୍ୱୀପ ସରକାରୀସୂତ୍ରରୁ ଜଣାପଡ଼ିଛି ଯେ ଭାରତ ଦେଇଥିବା ଆଡ୍‌ଭାନ୍‌ସ୍‌ଡ୍‌ ଲାଇଟ୍‌ ହେଲିକାପ୍ଟର୍‌ ‘ଧ୍ରୁବ’ ପରିବର୍ତ୍ତେ ମାଳଦ୍ୱୀପ ଗୋଟାଏ ଡୋର୍ନିୟର୍‌ ମେରିଟାଇମ୍‌ ସର୍ଭିଲେନ୍‌ସ୍‌ ଏୟାର୍‌କ୍ରାଫ୍‌ଟ୍‌ ଚାହୁଁଛି। ମାଳଦ୍ୱୀପ ଭାରତକୁ ଫେରାଇ ଦେବାକୁ ଚାହୁଁଥିବା ହେଲିକାପ୍ଟର୍‌ଟି ଅଦ୍ଦୁ ଦ୍ୱୀପରେ କାର୍ଯ୍ୟରତ ଅଛି।

ଏ ପ୍ରସଙ୍ଗ ଭାରତ ଏବଂ ମାଳଦ୍ୱୀପ ସମ୍ପର୍କ ଉପରେ ତିକ୍ତତା ସୃଷ୍ଟି କରିବା ସହ ମାଲେ ସହିତ ଭାରତର ପ୍ରତିରକ୍ଷା ଏବଂ ନିରାପତ୍ତା ସହଯୋଗ ପ୍ରଶ୍ନ ଉଠାଉଛି। ଏହାଛଡ଼ା ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ୍‌ କ୍ୱମାର ଜାେଓ୍ଵଦ୍‌ ବାଜ୍‌ଓ୍ଵା ରବିବାର ଦିନ ମାଳଦ୍ୱୀପ ଗସ୍ତ କରିଥିଲେ।

କୁହାଯାଉଛି ଯେ ଲାମୁ ଦ୍ୱୀପ ଠାରେ କାର୍ଯ୍ୟ ରତଅନ୍ୟ ଏକ ଏଏଲ୍‌ଏଚ୍‌ ହେଲିକାପ୍ଟର୍‌କୁ ମଧ୍ୟ ଫେରାଇ ଦେବାକୁ ମାଲେ ବିଚାର କରୁଛି। କିନ୍ତୁ, ଲାମୁ ଦ୍ୱୀପ ହେଲିକାପ୍ଟର୍‌ ଫେରସ୍ତ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ୟମୀନ୍‌ ସରକାରଙ୍କ ସୂତ୍ରରୁ ପ୍ରକାଶ।

ଦକ୍ଷିଣ ମାଳଦ୍ୱୀପରେ ଅବସ୍ଥିତ ଲାମୁ ଏକ ସ୍ପର୍ଶକାତର ସ୍ଥାନ ଯେଉଁଠି ଚୀନ୍‌ ଏକ ବନ୍ଦର ନିର୍ମାଣ କରିବାକୁ ବିଚାର କରୁଛି। ଚୀନ୍‌ ଉପରେ ଦୃଷ୍ଟି ରଖି ଭାରତ ମାଳଦ୍ୱୀପକୁ ସାମରିକ ସହାୟତା ଯୋଗାଇ ଦେବା ନିମନ୍ତେ ଗତ କେତେ ବର୍ଷ ହେବ ବହୁ ଅର୍ଥ ବିନିଯୋଗ କରିଛି। ଫାଷ୍ଟ୍‍-ଆଟାକ୍‌ ହେଲିକାପ୍ଟର୍‌ ଉପହାର ଦେବା ସହ ଭାରତ ସେଠାରେ ୬ ଜଣ ପାଇଲଟ୍‌ ଏବଂ ଏଏଲ୍‌ଏଚ୍‌ର ପରିଚାଳନା ପାଇଁ ଡଜନାଧିକ ସ୍ଥଳ କର୍ମଚାରୀ ମୁତୟନ କରିଛି।

ସମ୍ବନ୍ଧିତ ଖବର