ସିବିଆଇ ବିରୋଧରେ ମମତାଙ୍କ ଧାରଣା ପରେ ଜୋର ଧରିଲା ରାଜନୀତି : ଦିଦିଙ୍କୁ ସମର୍ଥନ ଦେଲେ ମୋଦି ବିରୋଧୀ

କୋଲକାତା: ପଶ୍ଚିମବଙ୍ଗରେ ପୁଲିସ-ସିବିଆଇ ବିବାଦ ଚରମ ସୀମାରେ ପହଞ୍ଚିଛି । ପୁଲିସ କମିସନରଙ୍କ ଗିରଫ ବିରୋଧରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିଓ୍ଵାଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ, ବିଏସପି ସୁପ୍ରିମୋ ମାୟାବତୀ, ଶରଦ ପାଓ୍ୱାର ଏବଂ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ତାଙ୍କୁ ସମର୍ଥନ ଜଣାଇଛନ୍ତି। ଏହି ରାଜନେତା ଓ ମୁଖ୍ୟମନ୍ତ୍ରୀମାନେ ମମତା ବାନାର୍ଜୀଙ୍କ ସହ .ଫୋନରେ କଥା ହୋଇ ତାଙ୍କର ପଦକ୍ଷେପକୁ ସମର୍ଥନ କରିଛନ୍ତି।


ରାହୁଲ୍ ଗାନ୍ଧି ଟୁଇଟ୍ କରି ଆମେ ଦିଦିଙ୍କ ସହ ଅଛୁ ବୋଲି ଘୋଷଣା କରିଛନ୍ତି।

ଅଖିଳେଶ ଯାଦବ କହିଛନ୍ତି, ବିଜେପି ଯେକୌଣସି ପ୍ରକାରରେ କ୍ଷମତାରେ ବସିବାକୁ ଚାହୁଁଛି। ନିର୍ବାଚନରେ ଜିତିବା ପାଇଁ ସିବିଆଇକୁ ବ୍ୟବହାର କରୁଛି। ମୁଖ୍ୟମନ୍ତ୍ରୀ ମମତା ଧାରଣାରେ ବସିବା ପରେ ଆସନସୋଲ ଠାରେ ତୃଣମୂଳ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ସୂଚନାଯୋଗ୍ୟ ସିବିଆଇ ଅଧିକାରୀ ପୁଲିସ କମିସନର ରାଜୀବ କୁମାରଙ୍କୁ ଗିରଫ କରିବାକୁ ଯାଇ ଆଜି ହଟହଟା ହୋଇଛି। ରାଜୀବଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ପୁଲିସ ସିବିଆଇର ୫ ଜଣ ଅଧିକାରୀଙ୍କୁ ଅଟକ ରଖିଥଲା। ପରେ ସେମାନଙ୍କୁ ଛାଡ଼ି ଦିଆଯାଇଚି। ସାରଦା  ଓ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାକୁ ନେଇ ଏହି ଘଟଣା ଘଟିଛି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ସୂଚନା ଅନୁସାରେ, ଚିଟ୍‌ଫଣ୍ଡ ଦୁର୍ନୀତି ମାମଲା ତଦନ୍ତ କରୁଥିବା ପଶ୍ଚିମବଙ୍ଗ ପୁଲିସର ସ୍ବତନ୍ତ୍ର ଅନୁସନ୍ଧାନ ଦଳ (ଏସଆଇଟି)ର ମୁଖ୍ୟ ଥିଲେ ଆଇପିଏସ୍ ଅଧିକାରୀ ରାଜୀବ କୁମାର। ସେ ଦୁର୍ନୀତି ନେଇ ଥିବା ପ୍ରମାଣକୁ ନଷ୍ଟ କରିଥିବା ଅଭିଯୋଗ କରିଛି ସିବିଆଇ । ଏଥିପାଇଁ ସିବିଆଇ ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିଲା।

କୋଲକାତା ପୁଲିସ କମିସନରଙ୍କ ଘରକୁ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଆସିଥିଲା ସିବିଆଇ । ସାମ୍ବିଧାନିକ ସଂସ୍ଥାକୁ ବିରୋଧ କରିବା ପରଂପରା ଦେଶର ଅନ୍ୟ କୌଣସିଠାରେ ଦେଖିବାକୁ ମିଳି ନ ଥିଲା । ମମତା ବାନାର୍ଜୀ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ତିକ୍ତତା ସାରା ଦେଶକୁ ଜଣା । କିଛି ଦିନ ତଳେ ସିବିଆଇକୁ ପଶ୍ଚିମବଙ୍ଗକୁ ପୁରାଇ ଦେବ ନାହିଁ ବୋଲି ଘୋଷଣା କରିଥିଲେ ମମତା । ଯାହାକୁ ଆଜି କାର୍ଯ୍ୟକାରୀ କରିଛନ୍ତି ଓ ଏବେ ପଶ୍ଚିମବଙ୍ଗରେ ଏକ ପଲଟିକାଲ ହାଇଡ୍ରାମା ଦେଖିବାକୁ ମିଳିଛି । କୋଲକାତା ପୁଲିସ ସିବିଆଇ ଅଧିକାରୀଙ୍କୁ ଗିରଫ କରିବା ସାରା ଦେଶରେ ହଇଚଇ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର