ନୈତିକ ବିଜୟ ହାସଲ ଘୋଷଣା କରି ଧାରଣା ପ୍ରତ୍ୟାହାର କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ସିବିଆଇ ଓ କୋଲକାତା ପୁଲିସ୍‌ ମଧ୍ୟରେ ଯେଉଁ ବିବାଦ ଚାଲିଥିଲା ଓ ଯାହାକୁ କେନ୍ଦ୍ର କରି କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମୁହାଁମୁୁହିଁ ହୋଇଥିଲେ। ସେଥିରେ ପଶ୍ଚିମବଙ୍ଗ ସରକାରଙ୍କର ନୈତିକ ବିଜୟ ଘଟିଥିବା ଘୋଷଣା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସଂଧ୍ୟାରେ କରିଥିବା ସତ୍ୟାଗ୍ରହ ଓ ଧାରଣାକୁ ପ୍ରତ୍ୟାହାର କରି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସାରଦା ଓ ରୋଜ ଭ୍ୟାଲି ଚିଟ୍‌ଫଣ୍ଡ୍‌ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଗତ ରବିବାର ସଂଧ୍ୟାରେ କୋଲକାତାର ପୁଲିସ୍‌ କମିସନର୍‌ ରାଜୀବ କୁମାରଙ୍କୁ ଗିରଫ କରିବା ପାଇଁ କଲିକତାରେ ଆସି ପହଞ୍ଚିବା ପରେ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ ହୋଇଥିଲେ। ସିବିଆଇର ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ଅକ୍ରୋଶମୂଳକ ଥିବା ଅଭିଯୋଗ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ସଂଧ୍ୟାରୁ ପୁଲିସ୍‌ କମିସନରଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ଏଥିସହ ସିବିଆଇକୁ ତାଙ୍କ ବାସଭବନରେ ପଶିବାକୁ ଦେଇ ନ ଥିଲା କୋଲକାତା ପୁଲିସ । ପରେ ଏ ବିବାଦ ଯାଇ ପହଞ୍ଚିଥିଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟରେ।

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ  ଖଣ୍ଡପୀଠ ଏହି ମାମଲାର ବିଚାର କରି କୋଲକାତାର ପୁଲିସ୍‌ କମିସନରଙ୍କୁ କୌଣସି ପରିସ୍ଥିତିରେ ବି ସିବିଆଇ ଗିରଫ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେବା ସହ କୋଲକାତା ପୁଲିସ୍‌ କମିସନରଙ୍କୁ ସିବିଆଇ ତଦନ୍ତକାରୀ ଅଧିକାରୀମାନଙ୍କୁ ତଦନ୍ତରେ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନୈତିକ ବିଜୟ ଘଟିଥିବା ଘୋଷଣା କରି ମମତା ଆଜି ସଂଧ୍ୟାରେ ତାଙ୍କର ଧାରଣା ଓ ସତ୍ୟାଗ୍ରହକୁ ପ୍ରତ୍ୟାହାର କରି ନେଇଛନ୍ତି।

ସମ୍ବନ୍ଧିତ ଖବର