କୋଲକାତା ପୁଲିସ କମିସନରଙ୍କୁ ପଚରାଉଚରା କରିବାକୁ ଆସି ସିବିଆଇ ଲୋକହସା ! କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଧାରଣାରେ ବସିଲେ ମମତା

ଦିଦି କହିଲେ, କମିସନର କେବଳ ଦେଶର ନୁହେଁ, ପୃଥିବୀରେ ଶ୍ରେଷ୍ଠ ଅଧିକାରୀ

ନୂଆଦିଲ୍ଲୀ: ରୋଜ୍‌ ଭ୍ୟାଲି ଓ ସାରଦା ଚିଟଫଣ୍ଡ ସ୍କାମ୍‌ ମାମଲାରେ ରବିବାର ସିବିଆଇ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ପଚରାଉଚରା ପାଇଁ ତାଙ୍କ ବାସଭବନ ନିକଟକୁ ଯାଇ ପହଞ୍ଚିଥିଲା। ସିବିଆଇ ସେଠାରେ ପହଞ୍ଚି ପୁଲିସ କମିସନରଙ୍କ ବାସଭବନ ଭିତରକୁ ଯିବାକୁ କହିଥିଲେ ହେଁ, କୋଲକତା ପୁଲିସ ସେମାନଙ୍କୁ ଅଟକାଇ ଦେଇଥିଲା। ଫଳରେ ପୁଲିସ ଓ ସିବିଆଇ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହାକୁ କେନ୍ଦ୍ରକରି ପଶ୍ଚିମବଙ୍ଗ ପୁଲିସ ୫ଜଣ ସିବିଆଇ ଅଫିସରଙ୍କୁ ଅଟକ ରଖିଛି।

ପ୍ରକାଶିତ ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ କମିଶନର ରାଜୀବ କୁମାରଙ୍କ ବାସଭବନରେ ପହଞ୍ଚିଛନ୍ତି ଏବଂ ସିବିଆଇ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଧାରଣାରେ ବସିଛନ୍ତି। ମମତା ବାନାର୍ଜୀଙ୍କ ସହିତ କୋଲକାତା ମେୟର ଫିରହାଦ ହାକିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି।

ମମତା ବାନାର୍ଜୀ କହିଛନ୍ତି, ବିଜେପି ପଶ୍ଚିମବଙ୍ଗ ଉପରେ ଅତ୍ୟାଚାର କରୁଛି, ଜୋରଜବରଦସ୍ତି ପଶ୍ଚିମବଙ୍ଗକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି। କାରଣ ମୁଁ ବ୍ରିଗେଡ ରାଲି କରିଥିଲି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିଛି, ସେଥିରେ ସେ କିପରି ଧମକ ଦେଉଥିଲେ ତାହା ବି ଜାଣିଛି।

କେବଳ ଏତିକି ନୁହେଁ, ମମତା ବାନାର୍ଜୀ କହିଛନ୍ତି, ବିନା ନୋଟିସ୍‌ରେ ସିବିଆଇ କୋଲକାତା ପୁଲିସ କମିସନରଙ୍କ ବାସଭବନକୁ ଆସିଥିଲା। ଆମେ ଚାହିଁଥିଲେ ତାଙ୍କୁ ଗିରଫ କରି ପାରି ଥାଆନ୍ତୁ, କିନ୍ତୁ ସେପରି କିଛି ନକରି ଆମେ ଛାଡି ଦେଇଛୁ। ଏହି ଘଟଣାକୁ ନେଇ, ପୁଲିସ କମିସନରଙ୍କ ସମର୍ଥନ ପାଇଁ ମୁଁ ଧାରଣାରେ ବସିବି। ଏହି ଧାରଣାର ଅର୍ଥ ସତ୍ୟାଗ୍ରହ ହେବ। ପୁଲିସ କମିସନର ରାଜୀବ କୁମାର କେବଳ ଭାରତରେ ନୁହେଁ, ପୃଥିବୀରେ ଶ୍ରେଷ୍ଠ। ସେ ୨୪ x୭ କାମ କରନ୍ତି। ନିକଟରେ ଥରେ ମାତ୍ର ଛୁଟି ନେଇଥିଲେ ବୋଲି ମମତା ବାନାର୍ଜୀ କହିଛନ୍ତି।

କେବଳ ଏତିକି ନୁହେଁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଏମ୍‌ସି ସହିତ ଲଢ଼ି ପାରିବେ ନାହିଁ। ରାଲିରେ ଯାହା ଦେଖିଥିଲେ ତାହା ପରେ ସେମାନେ ରାଜନୈତିକ ପ୍ରତିଶୋଧର ସାହାରା ନେଉଛନ୍ତି। ବିଜେପି ଜାଣିଛି ଟିଏମ୍‌ସିର ସ୍ଲୋଗାନ୍‌ ହେଉଛି: ‘୨୦୧୯-ବିଜେପି ଶେଷ’ ବୋଲି ଡରେକ୍‌ ଓ’ ବ୍ରିଏନ୍‌ କହିଛନ୍ତି।

କୋଲକତା ପୁଲିସ କମିସନରଙ୍କ ବାସଭବନକୁ ଚାରିଆଡୁ ପୁଲିସ ଘେରି ଦେଇଛି। ଏଥିସହିତ ଏହାକୁ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଦେଖା ଦେଇପାରେ।

ଉଲ୍ଲେଖଯୋଗ୍ୟ, ୨୦୧୬ରେ ରାଜୀବ କୁମାର କୋଲକାତାର ପୁଲିସ କମିସନର ନିଯୁକ୍ତ ହୋଇଥିଲେ। ରୋଜ୍‌ ଭ୍ୟାଲି ଦୁର୍ନୀତିରେ୧୫ ହଜାର କୋଟି ଟଙ୍କା ଓ ସାରଦା ସ୍କାମରେ ୨୫୦୦ କୋଟି ଟଙ୍କା ଉଭୟ ମାମଲାରେ ଅଭିଯୁକ୍ତମାନେ କ୍ଷମତାସୀନ ତୃଣମୂଳ କଂଗ୍ରେସର ପ୍ରଭାବଶାଳୀ ବ୍ୟକ୍ତି ବୋଲି ଜଣାଯାଇଛି। ରାଜୀବ କୁମାର ଶୁକ୍ରବାର ଦିନ ଶେଷ ଥର ପାଇଁ ଅଫିସ ଆସିଥିଲେ, ହେଲେ ତା’ପରେ ତାଙ୍କର ପତ୍ତା ମିଳୁ ନ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର