ନଇଁଲେ ମମତା: ଡାକ୍ତରଙ୍କ ସବୁ ଦାବି ଗ୍ରହଣ କଲେ, କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧର୍ମଘଟ ଚଳାଇଥିବା  ଡାକ୍ତରଙ୍କ ସମସ୍ତ ଦାବି ମାନି ନେଇଛନ୍ତି ଏବଂ  ସେମାନଙ୍କୁ କାମ ଆରମ୍ଭ କରିବା ପାଇଁ ନିବେଦନ କରିଛନ୍ତି। ସେ ଡାକ୍ତରଙ୍କ ପ୍ରତି ହୋଇଥିବା ହିଂସା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବାକୁ ଯାଇ ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ମମତା ଏକ  ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି କି, ଡାକ୍ତର ସହିତ ମାରପିଟ ଦୁର୍ଭାଗ୍ୟପୂର୍ଣ୍ଣ। ଆମର ସରକାର ଏହାର ସମାଧାନ କରିବା ନେଇ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଡାକ୍ତରଙ୍କ ସହିତ ଆମେ ଆଲୋଚନା କରିବାକୁ ଚେଷ୍ଟା କରୁଛୁ।  ଏହି ଧର୍ମଘଟ ହେତୁ .ରୋଗୀଙ୍କ ଚିକିତ୍ସା ହୋଇପାରୁ ନାହିଁ। ହସ୍‌ପିଟାଲ୍‌ରେ ଜରୁରୀକାଳିନ ସେବା ଜାରି ରଖିବା ଆବଶ୍ୟକ ହୋଇ ପଡ଼ିଛି । ଆମେ ରାଜ୍ୟରେ ଏସମା ଆକ୍ଟ ଲାଗୁ କରିବା ପାଇଁ ଚାହୁଁ ନାହୁଁ। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

ଏଥିସହ ମମତା ଆଜି ନିଜର ଜିଦ ଭାଙ୍ଗି ଆକ୍ରମଣର ଶିକାର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଡାକ୍ତରଙ୍କୁ ଭେଟିଛନ୍ତି। ଏଥିସହିତ ଘୋଷଣା କରିଛନ୍ତି ଯେ ସମସ୍ତ ଆହତ ଡାକ୍ତରଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଆମର ଡାକ୍ତରମାନଙ୍କ ପ୍ରତି ଗଭୀର ସମ୍ମାନ ରହିଛି। ଆନ୍ଦୋଳନକାରୀ ଡାକ୍ତରମାନଙ୍କ ମଧ୍ୟରୁ ଏଯାବତ କାହାରିକୁ ଗିରଫ କରାଯାଇ ନାହିଁ। ତେଣୁ ଆମେ ଚାହୁଁଛୁ ଡାକ୍ତରମାନେ ଯଥା ଶୀଘ୍ର କାର୍ଯ୍ୟରେ ଯୋଗ ଦିଅନ୍ତୁ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ରାଜ୍ୟପାଳ ଏକ ଲିଖିତ ବିବୃତିରେ ପ୍ରକାଶ କରିଛନ୍ତି ଯେ ଡାକ୍ତରମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ଓ ଡାକ୍ତରମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ତୁରନ୍ତ କରାଯାଉ।

 

ସମ୍ବନ୍ଧିତ ଖବର