ସମ୍ବିଧାନର କପି ପୋଡ଼ି ଜଣେ ଗିରଫ

ଜୟପୁର: ଅନୁସୂଚିତ ଜାତି/ଜନଜାତି ଆଇନ୍‌ରେ ସଂଶୋଧନ ବିରୋଧରେ ପ୍ରତିବାଦପୂର୍ବକ ସମ୍ବିଧାନର ଏକ କପିକୁ ପୋଡ଼ି ଦେବାରୁ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ରବିବାର ଦିନ ପୁଲିସ କହିଛି।

ଅଖିଳ ଭାରତୀୟ ଭୀମ ସେନାର ଜାତୀୟ ଭାରପ୍ରାପ୍ତ ଅନୀଲ ତନ୍‌ଓ୍ଵାର୍‌ ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ ଥାନାରେ ଶନିବାର ଦିନ ଅଭିଯୋଗ ଦାଏର କରିଛନ୍ତି ଯେ ‘ୟୁଥ୍‌ ଫର୍‌ ଇକ୍ୱାଲିଟି’ର ସଦସ୍ୟମାନେ ସମ୍ବିଧାନର ଏକ କପି ପୋଡ଼ି ଦଳିତଙ୍କ ମୂର୍ତ୍ତିମନ୍ତ ପ୍ରତୀକ ବି ଆର୍‌ ଆମ୍ବେଦକରଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ।

ଘଟଣାର ଏକ ଭିଡିଓ ସିଡି ମଧ୍ୟ ଅଭିଯୋଗକାରୀ ଦାଖଲ କରିଥିବା ପୁଲିସ କହିଛି।

ତଦନ୍ତରୁ ଜଣାପଡ଼ିଲା ଯେ ଅଗଷ୍ଟ ୯ ତାରିଖ ଦିନ ଦୁଇ ଭିନ୍ନ ସଂଗଠନ- ‘ୟୁଥ୍‌ ଇକ୍ୱାଲିଟି ଫାଉଣ୍ଡେସନ୍‌’ (ଆଜାଦ୍‌ ସେନା) ଏବଂ ‘ଆରକ୍ଷଣ ବିରୋଧୀ ପାର୍ଟି’- ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ରେ ମିଳିତ ପ୍ରତିବାଦ ପ୍ରଦର୍ଶନ କରିଥିଲେ।

ଦୀପକ ଗୌରଙ୍କ ନେତୃତ୍ୱରେ ‘ଆରକ୍ଷଣ ବିରୋଧୀ ପାର୍ଟି’ ଓ ଅଭିଷେକ ଶୁକ୍ଳଙ୍କ ନେତୃତ୍ୱରେ ‘ୟୁଥ୍‌ ଇକ୍ୱାଲିଟି ଫାଉଣ୍ଡେସନ୍‌’ ପ୍ରତିବାଦରେ ଅଂଶ ଗ୍ରହଣ କରିଥିଲେ। ଅଭିଯୁକ୍ତଙ୍କୁ ଧରିବାକୁ ତିନୋଟି ପୃଥକ୍‌ ପୁଲିସ ଟିମ୍‌ ଗଠିତ ହୋଇଥିଲା।

ଦିଲ୍ଲୀ, ହରିୟାଣା ଓ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ସନ୍ଦିଗ୍ଧମାନଙ୍କ ଘରେ ପୁଲିସ ଟିମ୍‌ ଚଢ଼ାଉ କରିଥିଲେ ବି ସେମାନେ ନିରୁଦ୍ଦେଶ ହୋଇ ଯାଇଥିଲେ। ପରେ ପରେ ପୁଲିସ ଗୌରଙ୍କୁ ଫରିଦାବାଦରେ ଧରିଥିଲା।

ପଚାରା ଉଚୁରା ବେଳେ ସେ କହିଲେ କି, ସେ ଓ ଶୁକ୍ଳ ଅନୁସୂଚିତ ଜାତି/ଜନଜାତି ଆଇନ୍‌ ସଂଶୋଧନ ବିରୋଧରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ସେମାନେ ସମ୍ବିଧାନର କପି ପୋଡ଼ିବା ମସୁଧା କରିଥିଲେ।

ସମ୍ବନ୍ଧିତ ଖବର