ଠିକ୍‌ ସମୟରେ ପାସପୋର୍ଟ ନ ମିଳିବାରୁ ଆପଣ ଚୌକିଦାର ନୁହନ୍ତି ବୋଲି ଲେଖିଲେ ଯୁବକ, ସୁଷମା ସ୍ୱରାଜ କଲେ ଏଭଳି କାମ

ନୂଆଦିଲ୍ଲୀ : ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପୁଣି ଥରେ ଟୁଇଟ୍‌ର ସମାଲୋଚନାର ଶିକାର ହେବାକୁ ପଡ଼ିଛି । କିନ୍ତୁ ସବୁ ଥର ଭଳି ଏଥର ମଧ୍ୟ ସେ  ଧୈର୍ଯ୍ୟର ସହ ପରିସ୍ଥିତିକୁ ସମ୍ଭାଳିଥିବା ଦେଖା ଯାଇଛି, ଯାହା ପାଇଁ ଟୁଇଟ୍‌ରରେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

ସୂଚନା ମୁତାବକ, ଜଣେ ଯୁବକ ସୁଷମା ସ୍ୱରାଜଙ୍କୁ ଟ୍ୟାଗ୍‌ କରି, ଆପଣ ଚୌକିଦାର ନୁହନ୍ତି । ଆପଣଙ୍କ ପାଇଁ ମୋତେ ଠିକ୍‌ ସମୟରେ ପାସପୋର୍ଟ ମିଳି ପାରିଲା ନାହିଁ । ଏଥି ପାଇଁ ମୋ କ୍ୟାରିୟର ମୋ ହାତରୁ ଚାଲିଗଲା ବୋଲି ଲେଖିଥିଲେ । ଏହାର ଜବାବ ଦେଇ ସୁଷମା ସ୍ୱରାଜ ଆଉ ଏକ ଟୁଇଟ୍‌ କରିଥିଲେ ।

“ଧନ୍ୟବାଦ୍‌ ! ଏତେ ପ୍ରଶଂସା କରିବା ପାଇଁ । ମୋ ଅଫିସ ତରଫରୁ ଆଜି ତୁମ ସହ ସଂପର୍କ କରାଯିବ ଏବଂ ପାସ୍‌ପୋର୍ଟ ପାଇବାରେ ତୁମକୁ ସାହାଯ୍ୟ କରାଯିବ” ବୋଲି ଲେଖିଥିଲେ ସୁଷମା । ଏହା ଦେଖି ସୁଷମାଙ୍କ ଅତିରିକ୍ତ ସଚିବ ଆଉ ଏକ ଟୁଇଟ୍‌ କରି ପାସ୍‌ପୋର୍ଟ ମିଳିବାରେ ବିଳମ୍ବ ହେଉଥିବାର କାରଣ ଜଣାଇଥିଲେ ।

ଏହି ଟୁଇଟ୍‌ରେ, “ମାର୍ଚ୍ଚ ୧୩ରେ ଯୁବକଜଣଙ୍କ ସଠିକ୍‌ ଠିକଣା ନ ଦେଇ ସମାନ୍ୟ ପାସ୍‌ପୋର୍ଟ ପାଇଁ ଆବେଦନ କରିଥିଲେ । ଏହା ପରେ ମାର୍ଚ୍ଚ ୨୦ରେ ସଂପୁର୍ଣ୍ଣ ଠିକଣାର ବିବରଣୀ ଦେଇଥିଲେ । ଯାହା ପରେ ପରେ ତାଙ୍କର ରିପୋର୍ଟକୁ ପୁଲିସ ଯାଞ୍ଚ ପାଇଁ ପଠାଯିବା ସହ ରିପୋର୍ଟ ଅପେକ୍ଷାରେ ଆମେ ଅଛୁ” ବୋଲି ଲେଖା ଯାଇଥିଲା । ଏତେ ସବୁ ମଧ୍ୟରେ ଯୁବକଙ୍କ ଟୁଇଟ୍‌ ଏବଂ ତାଙ୍କ ଆକାଉଣ୍ଟ ଟୁଇଟ୍‌ରେ ଉଭାନ ହୋଇ ଯାଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର