ବାକିରେ ପାନମସଲା ଦେବାକୁ ମନା କରିବା କାଳ ହେଲା; ରାଗରେ ଦୋକାନୀଙ୍କୁ ହତ୍ୟା କଲେ ବାକି ଖାଇବାକୁ ଆସିଥିବା ଗ୍ରାହକ

ହାରଦୋଇ (ଉତ୍ତରପ୍ରଦେଶ): ବାକିରେ ପାନ ମସଲା ଦେବାକୁ ମନା କରିଦେବା ଘଟଣା ଜଣେ ୬୦ ବର୍ଷ ବୟସ୍କ ପାନ ଦୋକାନୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାକି ଦେବାକୁ ମନା କରିଦେବା ଘଟଣାରେ ଉତ୍ୟକ୍ତ ହୋଇ ଦୋକାନୀ ଜଣଙ୍କୁ ହତ୍ୟା କରିଛନ୍ତି, ବାକିରେ ଖାଇବାକୁ ସଂପୃକ୍ତ ଗ୍ରାହକ।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ହାରଦୋଇ ଅଞ୍ଚଳରେ ଜନୈକ ୬୦ ବର୍ଷ ବୟସ୍କ ବୃଦ୍ଧ ଏକ ପାନ ଦୋକାନ ଦେଇଥିଲେ। ଗତ ଗୁରୁବାର ରାତି ପ୍ରାୟ ୧୧ଟା ବେଳକୁ ସେ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରିବାକୁ ବାହାରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ତାଙ୍କ ଦୋକାନକୁ ଆସିଥିଲେ। ବ୍ୟକ୍ତି ଜଣକ ତାଙ୍କୁ ବାକିରେ ପାନ ମସଲା ମାଗିବା ସହ ପରେ ପଇସା ଦେବେ ବୋଲି କହିଥିଲେ। ମାତ୍ର, ଦୋକାନ ବନ୍ଦ କରୁଥିବା କାରଣରୁ ସେ ଏବେ ଆଉ ବାକିରେ ତାଙ୍କୁ ପାନମସଲା ଦେଇ ପାରିବେ ନାହିଁ ବୋଲି କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବ୍ୟକ୍ତି ଜଣକ ସେଠାରୁ ଚାଲି ଯାଇଥିଲେ। କିଛି ସମୟ ପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କର କିଛି ବନ୍ଧୁଙ୍କୁ ସଙ୍ଗରେ ଧରି ଆସି ସେଠାରେ ପହଞ୍ଚିବା ସହ ବୃଦ୍ଧ ଦୋକାନୀ ଜଣଙ୍କୁ ଦୋକାନ ଭିତରୁ ଟାଣି ଆଣି ନିର୍ଘାତ ମାଡ଼ ମାରିବା ସହ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ବୃଦ୍ଧ ଦୋକାନୀ ଜଣଙ୍କର ମୁତ୍ୟୁ ହୋଇଯାଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ଆକ୍ରମଣକାରୀମାନେ ଘଟଣା ସ୍ଥଳ ଛାଡ଼ି ଫେରାର ହୋଇ ଯାଇଥିଲେ। ଘଟଣା ସଂପର୍କରେ ଖବର ପାଇବା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଫେରାର ହୋଇ ଯାଇଥିବା ଅଭିଯୁକ୍ତ ହତ୍ୟାକରୀମାନଙ୍କୁ ଗିରଫ କରିବା ପାଇଁ ଜୋରଦାର ତଲାସୀ ଅଭିଯାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର