ମନ୍‌ କି ବାତ୍‌: ନିମ୍ନ ମାନର ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୪୪ତମ ଅଧ୍ୟାୟରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଲିଥିନ ଓ ନିମ୍ନାମାନର ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ପରିବେଶ, ବନ୍ୟଜୀବ ଓ ମଣିଷ ଶରୀର ଉପରେ ପ୍ଲାଷ୍ଟିକର କୁପ୍ରଭାବ ପଡ଼ୁଥିବାରୁ ପ୍ରଦୂଷଣ ରୋକିବାକୁ ଏଭଳି ଦ୍ରବ୍ୟ ବ୍ୟବହାର ନକରିବାକୁ ସେ ଅନୁରୋଧ କରିଛନ୍ତି। ଜୁନ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ଥିବାରୁ ଏହି ଅବସରରେ ପ୍ଲାଷ୍ଟିକ ବର୍ଜନ କରି ସାରା ବିଶ୍ୱକୁ ଭାରତ ଏକ ନୂଆ ବାର୍ତ୍ତା ଦେବ ବୋଲି ସେ କହିଛନ୍ତି। ଭାରତୀୟ ନୌସେନାର ୬ଜଣ ମହିଳା କ୍ୟାପଟେନ୍‌ ଆଇଏନଏସ୍‌ଭି ତାରିଣୀରେ ୨୫୦ ଦିନରେ ବିଶ୍ୱ ପରିକ୍ରମା କରି ରେକର୍ଡ ସୃଷ୍ଟି କରିପାରିଥିବାରୁ ଏଭଳି ମହିଳାଙ୍କ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ପ୍ରଧାନମନ୍ତ୍ରୀ ମନେ ପକାଇଥିବା ବେଳେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସ୍ମୃତିଚାରଣ କରିଥିଲେ। ବର୍ତ୍ତମାନ ରମଜାନ ମାସ ଚାଲିଥିବା ବେଳେ ଏହି ଅବସରରେ ମୁସଲମାନ ଭାଇ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀ ଇଦ୍‌ର ଆଗୁଆ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର