କଶ୍ମୀରର ସୋପୁରରେ ଗୁଳିକାଣ୍ଡ: ସ୍ୱାମୀ ନିହତ, ସ୍ତ୍ରୀ ଆହତ

ଶ୍ରୀନଗର: ଶୁକ୍ରବାର ସନ୍ଧ୍ୟାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଘରେ ପଶି ଜଣେ ୩୫ ବର୍ଷିୟ ଲୋକଙ୍କୁ ମାରିଦେବା ସହ ତାଙ୍କ ପତ୍ନୀଙ୍କୁ ଗରୁତର ଆହତ କରିଛନ୍ତି।

ସୋପୋର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଜାବେଦ ଇକ୍‌ବଲ୍‌ କହନ୍ତି: ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର ଅଞ୍ଚଳର ହର୍‌ଓ୍ଵାନ୍‌ରେ ଥିବା ଅସ୍‌ରଫ୍‌ ମିର୍‌ଙ୍କ ଘରେ ଆତଙ୍କବାଦୀମାନେ ଧଷେଇ ପଶିବା ସହ ଗୁଳି ଚଳାଇ ଥିଲେ। ତାଙ୍କ ଶରୀରରେ ୫ଟି ଗୁଳି ବାଜିଥିଲା ଏବଂ ଡାକ୍ତରଖାନାକୁ ଯିବା ବାଟରେ ତାଙ୍କର ଦେହାନ୍ତ ଘଟିଲା। ତାଙ୍କ ପତ୍ନୀଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଛି ଓ ସେ ଶ୍ରୀନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ହତ୍ୟାର କାରଣ ଅସ୍ପଷ୍ଟ।

ଅଧିକାରୀମାନେ କହନ୍ତି: ମିର୍‌ ଜଣେ ଡ୍ରାଇଭର ଏବଂ ସେ ଫଳ ବ୍ୟବସାୟ କରନ୍ତି। କେତେକ ବିଦେଶୀଙ୍କ ସହ ଲସ୍କର୍‌-ଏ-ତୈବା ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।

ସୋମବାର ରାତିରେ ମଧ୍ୟ ସୋପୋର୍‌ ଠାରେ ପୁଲିସ ତିନି ଜଣ ଯୁବକଙ୍କର ଗୁଳିବିଦ୍ଧ ଶବ ପାଇଥିଲା। ସେମାନଙ୍କୁ ଲସ୍କର୍‌-ଏ-ତୈବାର ଆତଙ୍କବାଦୀମାନେ ମାରିଥିବା ପୁଲିସ ସନ୍ଦେହ କରୁଛି।

ବିଚ୍ଛିନ୍ନତାବାଦୀମାନେ ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି କି, ରାଜନୈତିକ ବା ଦଳୀୟ କାରଣରୁ ହତ୍ୟା ଅମାନବୀୟ ଏବଂ ଅଗ୍ରହଣୀୟ।

ଶୁକ୍ରବାର ଗୁଳିକାଣ୍ଡର କେତେ ଘଣ୍ଟା ଆଗରୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ପୁଲଓ୍ଵାମାର ଗୋଟାଏ ଥାନା ବାହାରେ ଗ୍ରେନେଡ୍‌ ଫିଙ୍ଗିଥିଲେ। ଅବଶ୍ୟ ଏଥିରେ କେହି ମୃତାହତ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର