ମୋଦିଙ୍କ ବୟାନକୁ ନେଇ ବିବାଦ ବଢ଼ିଲା

ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ: ମନମୋହନ

ବୈଠକ ନେଇ ପ୍ରଶ୍ନ ଉଠାଇଲା ବିଜେପି
ଯଦି ସତ, ତାହାହେଲେ ଗିରଫ କର: ଅେଓ୍ଵସି

ନୂଆଦିଲ୍ଲୀ : ଗୁଜରାଟ ନିର୍ବାଚନରେ ପାକିସ୍ତାନ ମୁଣ୍ଡ ଖେଳାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଏହି ବିବାଦରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଟାଣିଥିବାରୁ ଘଟଣା ଭିନ୍ନ ମୋଡ଼ ନେଇଛି। ଡ. ସିଂହ ଏଭଳି ଅଭିଯୋଗ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମୋଦି କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। କଂଗ୍ରେସ ମଧ୍ୟ ଉଦ୍‌ବେଗ ପ୍ରକାଶ କରିବା ସହିତ ମୋଦିଙ୍କୁ ସମାଲୋଚନା କରିଛି।
ଡ. ମନମୋହନ ସିଂହ ଆଜି ଏକ ବିବୃତି ଜାରି କରି କହିଛନ୍ତି ଯେ ମୋଦି ନିଜର ରାଜନୈତିକ ସ୍ୱାର୍ଥ ହାସଲ ଉଦ୍ଦେଶ୍ୟେରେ ତାଙ୍କ ବିରୋଧରେ ଏଭଳି ମନଗଢ଼ା ଅଭିଯୋଗ ଆଣିଛନ୍ତି। ଏହା ତାଙ୍କୁ ଗଭୀର ଯନ୍ତ୍ରଣା ଦେଇଛି। ଗୁଜରାଟରେ ତାଙ୍କ ପାର୍ଟି (ବିଜେପି) ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବାରୁ ଏଥିରେ ହତୋତ୍ସାହିତ ହୋଇ ମୋଦି ଅନ୍ୟମାନଙ୍କୁ ବଦନାମ କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ସେନାଧ୍ୟକ୍ଷ ଭଳି ସାମ୍ବିଧାନିକ ପଦବିର ଗରିମାକୁ ନଷ୍ଟ କରିବା ପାଇଁ ମୋଦିଙ୍କ ଅଭିଯାନ ଏକ ବିପଜ୍ଜନକ ପରମ୍ପରା ସୃଷ୍ଟି କରିବାକୁ ଯାଉଛି। ଆତଙ୍କବାଦ ମୁକାବିଲାରେ ସାଲିସ କରୁଥିବା ପାର୍ଟି ଏବଂ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜାତୀୟତାବାଦ ଭାଷଣ ଶୁଣିବାକୁ କଂଗ୍ରେସର କୌଣସି ଆଗ୍ରହ ନାହିଁ ବୋଲି ସେ କହିଛନ୍ତିି।
ଡ. ସିଂହ ଆହୁରି କହିଛନ୍ତି ଯେ ଉଧାମପୁର ଏବଂ ଗୁରୁଦାସପୁରରେ ଆତଙ୍କବାଦୀ ଆକ୍ରମଣ ପରେ ପରେ ବିନା ନିମନ୍ତ୍ରଣରେ ମୋଦି ପାକିସ୍ତାନ ଯାଇଥିଲେ। କେବଳ ଏତିକି ନୁହେଁ, ପାକିସ୍ତାନୀ ଆତଙ୍କବାଦୀ ହିଂସାର ତଦନ୍ତ ପାଇଁ ପଠାନକୋଟ୍‌ ବାୟୁସେନା ଘାଟୀରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଅଧିକାରୀଙ୍କ ଉପସ୍ଥିତିକୁ ମଧ୍ୟ ମୋଦି ଅନୁମତି ଦେଇଥିଲେି। ‘ଗତ ୫ ଦଶନ୍ଧି ଧରି ଦେଶ ସେବାରେ ମୋର ରେକର୍ଡ ସମସ୍ତଙ୍କୁ ଜଣା। ଏହା ଉପରେ ମୋଦି କିମ୍ବା ଅନ୍ୟ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ’ ବୋଲି ଡ. ସିଂହ କହିଛନ୍ତି।
ଅପରପକ୍ଷେ, ମଣିଶଙ୍କର ଆୟରଙ୍କ ଘରେ ଯେଉଁ କାର୍ଯ୍ୟକ୍ରମ ହୋଇଥିଲା ସେଥିରେ ଗୁଜରାଟ ନିର୍ବାଚନ ସଂପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି ଡ. ସିଂହ କହିବା ସହ କାର୍ଯ୍ୟକ୍ରମରେ କେବଳ ଭାରତ-ପାକିସ୍ତାନ ସଂପର୍କ ନେଇ ଆଲୋଚନା ହୋଇଥିବା ସେ ସ୍ପଷ୍ଟ କରିଛନ୍ତି।
ସେହିପରି କଂଗ୍ରେସ ପକ୍ଷରୁ ଜାରି ଏକ ବିବୃତିରେ ମଧ୍ୟ ମୋଦିଙ୍କୁ ସମାଲୋଚନା କରାଯାଇଛି। ଏଥିରେ କୁହାଯାଇଛି ଯେ ମଣିଶଙ୍କରଙ୍କ ଘରେ ଯେଉଁ କାର୍ଯ୍ୟକ୍ରମଟି ହୋଇଥିଲା ସେଥିରେ ମନମୋହନ ସିଂହଙ୍କ ସମେତ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନ୍‌ସାରୀ, ଜେନେରାଲ ଦୀପକ କପୁର ଓ ପାକିସ୍ତାନ ହାଇ କମିସନରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏଥିରେ କେବଳ ଭାରତ-ପାକିସ୍ତାନ ସଂପର୍କ ନେଇ ଆଲୋଚନା ହୋଇଥିଲା। ଗୁଜରାଟ ବିଷୟରେ କୌଣସି ଆଲୋଚନା ହୋଇନାହିଁ।
ଅନ୍ୟପକ୍ଷରେ, ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ବୈଠକ ନେଇ ପ୍ରଶ୍ନ ଉଠାଇଛନ୍ତି। ଗୁଜରାଟ ନିର୍ବାଚନ ଚାଲିଥିବା ବେଳେ ମଣିଶଙ୍କରଙ୍କ ଘରେ ଏଭଳି ବୈଠକର କ’ଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଇତିମଧ୍ୟରେ ହାଇଦ୍ରାବାଦସ୍ଥିତ ଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଅେଓ୍ଵସି ଏହି ବୈଠକ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ନେଇ ଭିନ୍ନ ମତ ରଖିଛନ୍ତି। ସେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ଭାବୁଛନ୍ତି ଯେ ପାକିସ୍ତାନ ଗୁଜରାଟ ନିର୍ବାଚନ ବ୍ୟାପାରରେ ହସ୍ତକ୍ଷେପ କରୁଛି, ତାହାହେଲେ ସେ ଚୁପ ନରହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହି ଘଟଣାରେ ପାକିସ୍ତାନକୁ ସହଯୋଗ କରୁଥିବା ନେତାମାନଙ୍କ ବିରୋଧରେ ବେଆଇନ କାରବାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏନ୍‌ଆଇଏକୁ ଲଗାଇ ମୋଦି କାହିଁକି ଏମାନଙ୍କୁ ଗିରଫ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ତେଣେ ପାକିସ୍ତାନ ମଧ୍ୟ ମୋଦିଙ୍କ ମନ୍ତବ୍ୟ ନେଇ ଆପତ୍ତି ଜଣାଇଛି। ଇସଲାମାବାଦରେ ପାକିସ୍ତାନର ବୈଦେଶିକ ବିଭାଗ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ନିର୍ବାଚନରେ ପାକିସ୍ତାନକୁ ନଟାଣି ଭାରତ ସରକାର ନିଜ ଦମ୍‌ରେ ବିଜୟୀ ହେବାକୁ ଉଦ୍ୟମ କରୁ। ପାକିସ୍ତାନ ବିରୋଧରେ ଏଭଳି ମନଗଢ଼ା କାହାଣି ନଶୁଣାଇବା ଲାଗି ଏଥିରେ କୁହାଯାଇଛି। ଭାରତ ସରକାର ପାକିସ୍ତାନର ଏହି ବିବୃତିରେ ତୀବ୍ର ପ୍ରତିକ୍ରିୟା ରଖିିଛନ୍ତି। ପାକିସ୍ତାନଠାରୁ ଗଣତନ୍ତ୍ର ସଂପର୍କରେ ଭାଷଣ ଶୁଣିବାର ଆଗ୍ରହ ନାହିଁ। ପାକିସ୍ତାନ ଏଭଳି ଅନାବଶ୍ୟକ ମନ୍ତବ୍ୟ ଦେବା ବନ୍ଦ କରୁ ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

ସମ୍ବନ୍ଧିତ ଖବର