ଏପ୍ରିଲରେ ଚାକିରି ହରାଇଥିଲେ, ଏବେ ବ୍ୟାଙ୍କ ଜମା ବୁଡିବା ପରେ ହୃଦଘାତରେ ପ୍ରାଣ ଚାଲିଗଲା

ମୁମ୍ବାଇ : କୁହାଯାଏ ଦୁର୍ଯୋଗ ଏକୁଟିଆ ଆସେ ନାହିଁ । ଏହା ନିଜର ବନ୍ଧୁବାନ୍ଧବଙ୍କୁ ନେଇକରି ଆସେ । ଠିକ ଏପରି ଘଟିଛି ୫୧ ବର୍ଷୀୟ ମୁମ୍ବାଇ ବାସିନ୍ଦା ସଂଜୟ ଗୁଲାଟିଙ୍କ କ୍ଷେତ୍ରରେ । ଦୁର୍ଯୋଗ କୁ ସହିନପାରି ହୃଦଘାତରେ ଆଜି ତାଙ୍କର ଦେହାନ୍ତ ହୋଇଛି ।

ସେ ପୂର୍ବରୁ ଜେଟ ଏୟାରେଓ୍ଵଜରେ କାମ କରୁଥିଲେ । ଗତ ଏପ୍ରିଲମାସରେ ଜେଟ ବନ୍ଦ ହୋଇଗଲା ପରେ ସେ ନିଜର ଚାକିରି ହରାଇଲେ । ବହୁକଷ୍ଟରେ ଏହି ସମସ୍ୟାର ସମ୍ମୁଖୀନ ହେବା ବେଳକୁ ଗତ ମାସରେ ଆସିଲା ୨ୟ ଦୁର୍ଯ୍ୟୋଗ । ରିଜର୍ଭ ବ୍ୟାଙ୍କ ପଞ୍ଜାବ ଓ ମହାରାଷ୍ଟ୍ର (ପିଏମସି) ବ୍ୟାଙ୍କରୁ ଜମା ଉଠାଣ ଉପରେ ରୋକ ଲଗାଇବା ପରେ ତାଙ୍କ ମୁଣ୍ଡରେ ଚଡକ ପଡିଥିଲା । ଏହି ବ୍ୟାଙ୍କରେ ସେ ୯୦ ଲକ୍ଷ ଟଙ୍କା ରଖିଥିଲେ । ଜମା ଉଠାଣ ଉପରେ ରୋକ ହଟାଇବାକୁ ସେ ମଙ୍ଗଳବାରଦିନ ରିଜର୍ଭ ବ୍ୟାଙ୍କ ବାହାରେ ବିକ୍ଷୋଭ ମଧ୍ୟ କରିଥିଲେ । ଘରକୁ ଫେରିବା ପରେ ତାଙ୍କର ଦେହାନ୍ତ ହୋଇଥିଲା ।

ପଞ୍ଜାବ ଓ ମହାରାଷ୍ଟ୍ର (ପିଏମସି) ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ ନିଷେଧାଜ୍ଞା ଜାରି କରିବା ପରେ ସାଧାରଣ ଜମାକାରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ମାସରେ ଏହି ବ୍ୟାଙ୍କରେ ୪ ହଜାର କୋଟି ଟଙ୍କାର ଦୁର୍ନୀତି ଧରାପଡିବା ପରେ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ଉପରେ ନିଷେଧାଜ୍ଞା ଜାରି କରିଥିଲେ । ପରେ କେତେକ କଟକଣା ସହ ଉଠାଣ ପାଇଁ ଅନୁମତି ଦେଇଥିଲେ । ଗତକାଲି ଉଠାଣ ସୀମାକୁ ୪୦ ହଜାର କରିଦେଇଥିଲେ ଆରବିଆଇ ।

ସମ୍ବନ୍ଧିତ ଖବର