ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅପରାଧର ମୁକାବିଲା ଲାଗି ପୁଲିସକୁ ସ୍ୱତନ୍ତ୍ର ତାଲିମ ଦିଆଯାଉ : ମାନେକା ଗାନ୍ଧି

ନୂଆଦିଲ୍ଲୀ : ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ଅମାନବୀୟ ଉତ୍ପୀଡନକୁ ନେଇ ସାରା ଦେଶ ଉଠୁଥିବା ପଡୁଥିବାବେଳେ କେନ୍ଦ୍ର ମହିଳା ଓଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ଆଜି ମୁହଁ ଖୋଲିଛନ୍ତି । ଯୌନ ଉତ୍ପୀଡନ ସମ୍ବନ୍ଧୀତ ଅପରାଧଗୁଡିକ ପାଇଁ ବିଶେଷ ସେଲର ଗଠନ କରିବା ଜରୁରୀ ହୋଇପଡିଛି । ଏହା ସହିତ ଏସବୁ ଅପରାଧଗୁଡିକ ପାଇଁ ପୁଲିସ କର୍ମଚାରୀମାନଙ୍କୁ ସାନି ପ୍ରଶିକ୍ଷଣ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଶ୍ରୀମତି ଗାନ୍ଧି ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ ସଂଗଠିତ ଅପରାଧ ଦମନ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେବା ପାଇଁ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଆଜି ଏକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ସେ ଲେଖିଛନ୍ତି ଯେ ଯୌନ ଉତ୍ପୀଡନ ସମ୍ବନ୍ଧୀତ ଅପରାଧଗୁଡିକର ବିଭିନ୍ନ ଦିଗ ଉପରେ ବିଶେଷ କରି ପ୍ରମାଣ ସଂଗ୍ରହ ଏବଂ ସଂରକ୍ଷଣ ପାଇଁ ସମସ୍ତ ପୁଲିସ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ଏହାବ୍ୟତୀତ ଶିଶୁମାନଙ୍କୁ ଯୌନ ଉତ୍ପୀଡନ କ୍ଷେତ୍ରରେ ମାମଲାଗୁଡିକର ଯାଞ୍ଚ ନିର୍ଦ୍ଧାରୀତ ସମୟ ସୀମା ମଧ୍ୟରେ ପ୍ରାଥମିକତା ଭିତ୍ତିରେ ସମାପ୍ତ କରିବା ପାଇଁ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯିବା ନେଇ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏଭଳି ମାମଲାଗୁଡିକରେ ଅପରାଧିମାନଙ୍କୁ ସୁରକ୍ଷା ଦେଉଥିବା ପୁଲିସ ଅଧିକାରୀମାନଙ୍କୁ ରାଜ୍ୟ ସରକାରମାନେ କଠୋର ଦଣ୍ଡ ବିଧାନ କରିବା ପାଇଁ କୁହାଯାଇଛି ।

ନିର୍ଦ୍ଧାରିତ ସମୟ ମଧ୍ୟରେ ଏଭଳି ମାମଲାଗୁଡିକର ଯାଞ୍ଚ କରାଯାଇପାରିଲେ ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯାଇପାରିବ ଯାହା ରାଜ୍ୟ ସରକାରମାନଙ୍କ ଦ୍ୱାରା ସମ୍ଭବ । ଏ କ୍ଷେତ୍ରରେ କେବଳ ଯୌନ ଉତ୍ପୀଡନ ଅପରାଧଗୁଡିକ ବା ବିଶେଷ ଭାବେ ପିଲାମାନଙ୍କର ଯୌନ ଉତ୍ପୀଡନ ପାଇଁ ଏକ ସ୍ୱତନ୍ତ୍ର ସେଲ ଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରାଜ୍ୟମାନଙ୍କରେ ଫରେନସିକ ଲାବରୋଟରୀ ଖୋଲିବା ପାଇଁ ମଧ୍ୟ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଯାହା ଯୌନ ଉତ୍ପୀଡନ ମାମଲାଗୁଡିକୁ ଯାଂଚ କରିବା କ୍ଷେତ୍ରରେ ସହାୟକ ହେବ ।
ମନ୍ତ୍ରୀ ପୋକସୋ ଅଧିନସ୍ଥ ଇ-ବକ୍ସ ଏବଂ ୧୦୯୮ ଚାଇଲ୍ଡ ହେଲ୍ପଲାଇନ ବିଷୟରେ ପିଲାମାନଙ୍କୁ ସଚେତନ କରାଇବା ପାଇଁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି । ମନ୍ତ୍ରୀ ଆହୁରୀ ମଧ୍ୟ ଦର୍ଶାଇଛନ୍ତି ଯେ ହିଂସାର ଶିକାର ହେଉଥିବା ମହିଳାମାନଙ୍କ ପାଇଁ ମନ୍ତ୍ରଣାଳୟ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୧୭୫ ଟି ୱାନ ଷ୍ଟପ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ଏହି ପତ୍ରରେ ପୋସ୍କୋ ଆଇନର ଧାରା ୨୧ ଲାଗୁ କରିବା ଉପରେ ମଧ୍ୟ ଦର୍ଶାଯାଇଛି । ଏହା ଅଧିନରେ ଯେଉଁ ଅଧିକାରୀ ଅପରାଧ ମାମଲାର ରିପୋର୍ଟ ବା ରେକର୍ଡ କମିଶନଙ୍କ ନିକଟରେ ଦାଖଲ କରିବାରେ ବିଫଳ ହେବେ ତାଙ୍କୁ ଧାରା ୧୯/୨୦ ଅନୁଯାୟୀ ଦଣ୍ଡବିଧାନ କରାଯିବ ।

ସମ୍ବନ୍ଧିତ ଖବର