ମଣିପୁର ମିଥ୍ୟା ଏନକାଉଣ୍ଟର ମାମଲା: ତଦନ୍ତରେ ଅହେତୁକ ବିଳମ୍ବ ପାଇଁ ସିବିଆଇକୁ ତୀବ୍ର ଭର୍ତ୍ସନା କଲେ ସୁପ୍ରମ୍‌ କୋର୍ଟ

ନୂଆଦିଲ୍ଲୀ: ମଣିପୁର ମିଥ୍ୟା ଏନକାଉଣ୍ଟର ମାମଲାରେ ଶୁଣାଣି କାଳରେ ଆଜି (ମଙ୍ଗଳବାର) ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଉପରେ ଖୁବ୍‌ ବର୍ଷିଛନ୍ତି। ଏହି ମାମଲାରେ ତଦନ୍ତରେ ଅହେତୁକ ବିଳମ୍ବ ସହ ତଦନ୍ତରେ ମନ୍ଥରତା ପ୍ରଦର୍ଶନ କରୁଥିବାରୁ ସିବିଆଇ ଉପରେ ନିଜର ଅସନ୍ତୋଷ ଓ ବିରକ୍ତି ପ୍ରକାଶ କରଛନ୍ତି ସୁପ୍ରିମ କୋର୍ଟ।

ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ଏଯାବତ୍‌ ଘଟଣାରେ ସଂପୃକ୍ତ କୌଣସି ଜଣେ ହେଲେ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରା ଯାଇପାରି ନାହିଁ ବୋଲି କୋର୍ଟରେ ଉପସ୍ଥିତ ଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମାଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମ କୋର୍ଟ। ଯଦି ଗୋଟିଏ ସମ୍ବେଦନଶୀଳ ମାମଲାର ତଦନ୍ତରେ ସିବିଆଇ ଏପ୍ରକାର ଆଚରଣ ପ୍ରଦର୍ଶନ କରେ, ତେବେ ସମାଜରେ କିଭଳି ସ୍ଥିତି ଉପୁଜିବ ବୋଲି ଆଜି ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏମ୍‌ ବି ଲୋକୁର ଏବଂ ଜଷ୍ଟିସ୍‌ ୟୁ ୟୁ ଲଳିତଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କୋର୍ଟରେ ହାଜର ହୋଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମା କୋର୍ଟଙ୍କୁ କହିଛନ୍ତି ଯେ ମିଥ୍ୟା ଏନ୍‌କାଉଣ୍ଟର ଏବଂ ହତ୍ୟା ମାମଲାର ତଦନ୍ତ କରି ସିବିଆଇ ପକ୍ଷରୁ ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଅଗଷ୍ଟ ୨୦ ତାରିଖରେ ସିବିଆଇ ନିର୍ଦ୍ଦେଶକ ଶ୍ରୀ ଶର୍ମାଙ୍କୁ ପୁଣିଥରେ କୋର୍ଟରେ ହାଜର ହେବା ପାଇଁ ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମଣିପୁରରେ ୨୦୦୦ରୁ ୨୦୧୨ ମସିହା ମଧ୍ୟରେ ସୁରକ୍ଷାବାହିନୀ ଏବଂ ପୁଲିସ ମିଥ୍ୟା ଏନକାଉଣ୍ଟର ଜରିଆରେ ୧୫୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ଆବେଦନ କରି ସୁପ୍ରିମ୍‌ କୋର୍ଟରେ ଆଗତ ଏକ ମାମଲାର ଶୁଣାଣି କାଳରେ କୋର୍ଟ ଏପରି ମତ ଦେବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୦ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର