ଏନଡିଏ ଛାଡ଼ିଲେ ମାଂଝି

ପାଟ୍‌ନା: ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ ଏବେ ବିହାର ରାଜନୀତିରେ ନୂଆ ମୋଡ଼ ଆସିଛି। ହିନ୍ଦୁସ୍ତାନ ଆଓ୍ଵାମି ମୋର୍ଚ୍ଚା ମୁଖ୍ୟ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝି ଆଜି ଏନ୍‌ଡିଏରୁ ଓହରିଛନ୍ତି। ଏନଡିଏ ପରିତ୍ୟାଗ କରି ସେ ଆରଜେଡି ଏବଂ କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ବିହାର ରାଜନୀତି ଏବେ ସରଗରମ ରହିଛି। ଆଜି ପାଟନାରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ତାଙ୍କ ବାସଭବନରେ ଭେଟିବାପରେ ମାଂଝି ଏନଡିଏ ତ୍ୟାଗ କରୁଥିବା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ମାଂଝିଙ୍କ ନିଷ୍ପତ୍ତିକୁ ଆର୍‌ଜେଡି ସ୍ୱାଗତ କରିଛି। ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ବିହାରର ୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଥିବାବେଳେ ମାଂଝି ତାଙ୍କ ଦଳ ପାଇଁ ଏନଡିଏଠାରୁ ଗୋଟିଏ ଆସନ ଦାବି କରିଥିଲେ। ତେବେ ତାଙ୍କ ଦଳର ପ୍ରାର୍ଥୀଙ୍କୁ ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ନ କରାଯିବାରୁ ସେ ଏନଡିଏ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଅରରିଆ ଲୋକସଭା ଆସନ ଏବଂ ଜହନବାନ୍‌ ଏବଂ ଭାବୁଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ରହିଛି। ମାଂଝିଙ୍କ ଦଳ ଜହନାବାଦ୍‌ ବିଧାନସଭା ଆସନ ଲାଗି ଉପନିର୍ବାଚନ ଲଢ଼ିବାପାଇଁ ଦାବି କରିଥିବାବେଳେ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇ ବିଜେପିକୁ ଅଗ୍ରାଧିକାର ଦିଆଯାଇଛି । ଫଳରେ ଏନଡିଏ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରି ମାଂଝି ଏଥିରୁ ଓହରିଛନ୍ତି।

ସମ୍ବନ୍ଧିତ ଖବର