ବିହାର ସେଲଟର ହୋମ୍‌ ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ସହ ମନ୍ତ୍ରୀଙ୍କ ସ୍ୱାମୀଙ୍କ ଘନିଷ୍ଠ ସଂପର୍କର ସିବିଆଇ ପର୍ଦ୍ଦାଫାସ ପରେ ଇସ୍ତଫା ଦେଲେ ମନ୍ତ୍ରୀ ମଞ୍ଜୁ ବର୍ମା

ପାଟନା (ବିହାର): ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାରେ ନୈତିକ ଦାୟିତ୍ୱ ନିଜ ମୁଣ୍ଡକୁ ନେବା ସହ ଆଜି (ବୁଧବାର) ଅପରାହ୍ଣରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ବିହାର ସମାଜ କଲ୍ୟାଣ ମନ୍ତ୍ରୀ ତଥା ଜେଡି (ୟୁ) ନେତ୍ରୀ ମଞ୍ଜୁ ବର୍ମା।

ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସହ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀର ଘନିଷ୍ଠ ସଂପର୍କ ରହିଥିବା ଜାଣିବାକୁ ପାଇବା ପରେ ମନ୍ତ୍ରୀ ମଞ୍ଜୁ ବର୍ମା ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗଣମାଧ୍ୟମ ମାଲିକ ତଥା ସେବା ସଙ୍କଳ୍ପ ଏବଂ ବିକାଶ ସମିତି ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ସଂପୃକ୍ତ ସେଲଟର ହୋମ୍‌ ଚଳାଇଥିବା ବ୍ରଜେଶ ଠାକୁରଙ୍କ ସହ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀ ବେଶ ଘନିଷ୍ଠ ଭାବେ ସଂପୃକ୍ତ ଥିବା ନେଇ ଆଜି ତଦନ୍ତକାରୀ ସିବିଆଇ ପର୍ଦ୍ଦାଫାସ କରିଥିଲା। ଏହି ଆଶ୍ରୟ ଗୃହର ୩୪ ଜଣ ନାବାଳିକା ଅନ୍ତେବାସିନୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଥାଇ ଏବେ ଜେଲରେ ଅଛନ୍ତି ବ୍ରଜେଶ ଠାକୁର। ପୂର୍ବରୁ ଏହି କେଳେଙ୍କରୀରେ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଉଠିଥିଲେ ମଧ୍ୟ ମନ୍ତ୍ରୀ ମଞ୍ଜୁ ବର୍ମା ଏହାକୁ ଅସ୍ୱୀକାର କରି ଆସିଥିଲେ।

ସମ୍ବନ୍ଧିତ ଖବର