ମନମୋହନ-ମୋଦି ଲୋକପାଳ ଆଇନକୁ ଦୁର୍ବଳ କରିଦେଇଛନ୍ତି: ଆନ୍ନା ହଜାରେ

ନୂଆଦିଲ୍ଲୀ: କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଲୋକପାଳ ଆଇନକୁ ଦୁର୍ବଳ କରିଦେଇଛନ୍ତି ବୋଲି ବିଶିଷ୍ଟ ସମାଜସେବୀ ତଥା ଦୁର୍ନୀତି ବିରୋଧୀ ଆନ୍ଦୋଳନ ନେତା ଆନ୍ନା ହଜାରେ କହିଛନ୍ତି। ସେହିପରି ଏହି ଆଇନର ରୂପରେଖ ପ୍ରସ୍ତୁତି ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ମଧ୍ୟ ଏହାକୁ ଦୁର୍ବଳ କରିଦେଇଥିଲେ। ଖଜୁରାହୋରେ ଅନୁଷ୍ଠିତ ଜଳ ସଂରକ୍ଷଣ ସଂକ୍ରାନ୍ତ ତିନି ଦିନିଆ ‘ଜଳ ସମ୍ମେଳନ’ରେ ଯୋଗଦେବା ଅବସରରେ ଆନ୍ନା ଏପରି ଅଭିଯୋଗ ଆଣିଛନ୍ତି।
ଲୋକପାଳ ଏବଂ କୃଷକ ସମସ୍ୟାକୁ ନେଇ ଆସନ୍ତା ମାର୍ଚ୍ଚ ୨୩ରେ ରାଜଧାନୀ ନୂଆଦିଲ୍ଲୀରେ ଏକ ବିକ୍ଷୋଭ ସମାବେଶ ପାଇଁ ଆହ୍ଵାନ ଦେଇଥିବା ଆନ୍ନା କହିଛନ୍ତି ଯେ ସବୁବେଳେ ଖୁବ୍‌ କମ୍‌ କଥା କହୁଥିବା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ. ସିଂହ ଏହି ଦୁର୍ନୀତି ବିରୋଧୀ ଲୋକପାଳ ଆଇନକୁ ଦୁର୍ବଳ କରିଦେଇଥିଲେ। ଏଥିରେ ଥିବା କିଛି ମୌଳିକ ବିଷୟବସ୍ତୁକୁ ଡ. ସିଂହଙ୍କ ସରକାର ହଟାଇନେଇଥିଲେ। ସେହିପରି ଲୋକପାଳ ସମେତ ବିଭିନ୍ନ ପ୍ରସଙ୍ଗରେ ସେ ଅନେକ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି। ମାତ୍ର ଏଯାଏ କୌଣସି ଗୋଟିକର ଉତ୍ତର ପାଇନାହାନ୍ତି କି ସରକାର ଆଶାନୁରୂପ ପଦକ୍ଷେପ ନେଇନାହାନ୍ତି। ଅପରପକ୍ଷେ, ମୂଳ ଆଇନରେ ସଂଶୋଧନ ଆଣି ମୋଦି ସରକାର ଲୋକପାଳ ଆଇନକୁ ଆହୁରି ଦୁର୍ବଳ କରିଦେଇଛନ୍ତି। ଆନ୍ନାଙ୍କ କହିବାନୁସାରେ, ମୂଳ ଲୋକପାଳ ଆଇନ ଅନୁସାରେ ସରକାରୀ କର୍ମଚାରୀଙ୍କ ସମ୍ପର୍କୀୟମାନେ ପ୍ରତିବର୍ଷ ସେମାନଙ୍କ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ। ମାତ୍ର ମୋଦି ସରକାର ଏଥିରେ ସଂଶୋଧନ ଆଣି ସରକାରୀ କର୍ମଚାରୀଙ୍କ ପତ୍ନୀ, ପୁଅ, ଝିଅ ସମେତ ଅନ୍ୟ ସମ୍ପର୍କୀୟମାନଙ୍କୁ ଏଥିରୁ ମୁକ୍ତ ରଖିଛନ୍ତି।

ସମ୍ବନ୍ଧିତ ଖବର