ପାକିସ୍ତାନ ଆକ୍ରମଣ ପାଇଁ ଯୋଜନା କରିଥିଲେ ମନମୋହନ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟ ନେଇ ଅତିଷ୍ଠ ହୋଇପଡ଼ିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଏଥିପାଇଁ ତାଙ୍କ ସମୟରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରିଥିଲେ। ଏ ତଥ୍ୟ ଦେଇଛନ୍ତି ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମରୁନ୍‌। ସେ ତାଙ୍କର ପୁସ୍ତକ ‘ଫର୍‌ ଦି ରେକର୍ଡ’ରେ ଏହା ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି, ଯଦି ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଘଟଣାର ପୁନରାବୃତ୍ତି ହୋଇଥାନ୍ତା ତେବେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା। ଏଥିପାଇଁ ପ୍ରସ୍ତୁତ ହୋଇ ସାରିଥିଲେ ମନମୋହନ। କ୍ୟାମରୁନ୍‌ କହିଛନ୍ତି ସେ ୨୦୧୦ରୁ ୨୦୧୬ ମଧ୍ୟରେ ତିନି ଥର ଭାରତ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜଣେ ସାଧୁ ପ୍ରକୃତିର ମଣିଷ, କିନ୍ତୁ ମୁମ୍ବାଇରେ ୨୦୧୧ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରସ୍ତୁତ ଥିଲେ। ମନମୋହନ ଭାରତର ଏହି ଯୋଜନା ସଂପର୍କରେ ତାଙ୍କୁ କହିଥିଲେ ବୋଲି କ୍ୟାମରୁନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର