ମୋଦୀଙ୍କୁ ମନମୋହନଙ୍କ ଚିଠି:ନେହରୁ ପାଠାଗାରକୁ ନେଇ ବିବାଦ

ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କ ସ୍ମୃତିରେ ଦିଲ୍ଲୀରେ ଥିବା ନେହରୁ ସ୍ମୃତି ସଂଗ୍ରହାଳୟ ଏବଂ ପାଠାଗାର (ଏନ୍‌ଏମ୍‌ଏମ୍‌ଏଲ୍‌)ର ସ୍ୱରୂପ ଓ ପ୍ରକୃତିକୁ ପରିବର୍ତ୍ତନ କରନାହିଁ। ଏହାକୁ ପୂର୍ବବତ୍‌ ଅକ୍ଷୁଣ୍ଣ ରଖ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏଭଳି କହିଛନ୍ତି। ସେ କହିଛନ୍ତି, ନେହରୁ କେବଳ କଂଗ୍ରେସ ସହ ଜଡ଼ିତ ନଥିଲେ। ସେ ସାରା ଦେଶ ସହ ଜଡ଼ିତ ଥିଲେ। ତେଣୁ ଏନ୍‌ଏମ୍‌ଏମ୍‌ଏଲ୍‌ର ମୂଳ ରୂପକୁ ପରିବର୍ତ୍ତନ ନକରି ମୋଦୀ ସରକାର ଇତିହାସକୁ ସମ୍ମାନ ଦେବା ଉଚିତ। ଦୁଇ ସପ୍ତାହ ପୂର୍ବେ ମନମୋହନ ଏହି ପତ୍ର ଲେଖିଛନ୍ତି।

ଏଥିରେ ସେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୬ ବର୍ଷର କାର୍ଯ୍ୟକାଳ ସମୟରେ ଟିନ୍‌ ମୂର୍ତ୍ତି କମ୍ପ୍ଲେକ୍ସରେ ଥିବା ଏନ୍‌ଏମ୍‌ଏମ୍‌ଏଲ୍‌ର ସ୍ୱରୂପରେ ପରିବର୍ତ୍ତନ ପାଇଁ କୌଣସି ପ୍ରକାର ଉଦ୍ୟମ କରାଯାଇ ନଥିଲା। କିନ୍ତୁ ଦୁଃଖର ବିଷୟ ବର୍ତମାନର ସରକାରଙ୍କ ଏଜେଣ୍ଡାର ଏହା ଅଂଶବିଶେଷ ହୋଇଛି। ଉଲ୍ଲେଖେଯୋଗ୍ୟ, ମୋଦୀ ସରକାର ଏନ୍‌ଏମ୍‌ଏମ୍‌ଏଲ୍‌ ଥିବା ଟିନ୍‌ ମୂର୍ତ୍ତି କମ୍ପ୍ଲେକ୍ସରେ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସଂଗ୍ରହାଳୟ ପାଇଁ ଯୋଜନା କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଏହାପରେ ମନମୋହନ ମୋଦୀଙ୍କ ନିକଟକୁ ଏହି ପତ୍ର ଲେଖିଛନ୍ତି। ସେ କହିଛନ୍ତି, ଇତିହାସକୁ ସମ୍ମାନ ଦିଅ ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କ ସଂଗ୍ରହାୟଳରେ କୌଣସି ପ୍ରକାର ପରିବର୍ତ୍ତନ କରନି।

ସମ୍ବନ୍ଧିତ ଖବର