ମୋଦିଙ୍କ ଉପରେ ବର୍ଷିଲେ ମନମୋହନ : ପ୍ରଧାନମନ୍ତ୍ରୀ ପଦର ଗରିମା ହ୍ରାସ କରୁଛନ୍ତି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରେ ଏବେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ମନମୋହନ କହିଛନ୍ତି ଯେ ମୋଦି ଯେଉଁଭଳି ଭାଷା ପ୍ରଚାରରେ ପ୍ରୟୋଗ କରୁଛନ୍ତି ତାହା କୌଣସି ପ୍ରଧାନମନ୍ତ୍ରୀଙ୍କୁ ଶୋଭପାଇବ ନାହିଁ। ଏଭଳି ବ୍ୟବହାର କରି ମୋଦି ପ୍ରଧାନମନ୍ତ୍ରୀ ପଦର ଗରିମା ହ୍ରାସ କରୁଛନ୍ତି ବୋଲି ମନମୋହନ କହିଛନ୍ତି। ଏହା ଦେଶ ପାଇଁ ଆଦୌ ମଙ୍ଗଳକର ନୁହେଁ ବୋଲି ସେ କହିଛନ୍ତି। ନିରବ ମୋଦି ପ୍ରସଙ୍ଗ ଉଠାଇ ମନମୋହନ କହିଛନ୍ତି ଯେ ୨୦୧୫-୧୬ରେ ନିରବ ମୋଦି ଯେତେବେଳେ ବ୍ୟାଙ୍କ ଋଣ ହାସଲ ପାଇଁ ବଡ଼ କାରବାର କରୁଥିଲେ ସେତେବେଳେ ମୋଦି ସରକାର କିଛି ପଦକ୍ଷେପ ଗ୍ରହଣ କରିନଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଡାଭୋସ ଗସ୍ତରେ ଥିଲେ ସେତେବେଳେ ନିରବ ମୋଦିଙ୍କ କମ୍ପାନି ମଧ୍ୟ ତାଙ୍କ ସହିତ ଥିଲା ଏବଂ ଏହାର କିଛିଦିନ ପରେ ନିରବ ମୋଦି ଦେଶରୁ ଚମ୍ପଟ ମାରିଥିଲେ। ଏଥିପାଇଁ ସରକାର ହିଁ ଦାୟୀ ବୋଲି ମନମୋହନ କହିଛନ୍ତି। ବିମୁଦ୍ରକରଣ ଏବଂ ଜିଏସ୍‌୍‌ଟି ନିଷ୍ପତ୍ତିକୁ ମଧ୍ୟ ମନମୋହନ କଡ଼ା ସମାଲୋଚନା କରିଛନ୍ତି। ଉଭୟ ପ୍ରକ୍ରିୟା ଲାଗୁ କରିବା ପାଇଁ ସରକାର ତ୍ରୁଟିପୂର୍ଣ୍ଣ ନୀତି ଅବଲମ୍ବନ କରିଥିବାରୁ ଏଥିପାଇଁ ଦେଶକୁ ବହୁତ କ୍ଷତି ସହିବାକୁ ପଡ଼ିଛି ବୋଲି ସେ କହିଛନ୍ତି। ଏଥିପାଇଁ ହଜାର ହଜାର ଲୋକ ସେମାନଙ୍କ ଚାକିରି ହରାଇଛନ୍ତି ଏବେ ଦେଶବାସୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ମନମୋହନ କହିଛନ୍ତି। ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବରେ ସେ ଦସ୍ତଖତ କରିନଥିବା ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ ମହାଭିଯୋଗ ପ୍ରସ୍ତାବକୁ ଦଳର ବରିଷ୍ଠ ନେତା କପିଲ ସିବ୍ଦଲ ସଠିକ୍‌ ପରିଚାଳନା କରୁଥିଲେ ଏବଂ ସେ ଦସ୍ତଖତ କରି ବିବାଦରେ ପଡ଼ିବାକୁ ଚାହୁନଥିଲେ। ଏ ବାଦଦରେ ଦଳ ତା’ର ନୀତିରେ ଚାଲିଛି ଏବଂ ସେ ବିବାଦରୁ ଦୂରେଇ ରହିଛନ୍ତି ବୋଲି ମନମୋହନ କହିଛନ୍ତି।

ସମ୍ବନ୍ଧିତ ଖବର