ମୋଦୀଙ୍କ ‘ମନ୍‌ କୀ ବାତ୍‌’ : ଓଡ଼ିଶାକୁ ପ୍ରଶଂସା କଲେ

ହକି ବିଶ୍ବକପ ପାଇଁ ଶୁଭେଚ୍ଛା, ଓଡ଼ିଆମାନେ ବେଶ୍‌ ଉତ୍ସାହୀ, କୋଣାର୍କ, ପୁରୀ, ଚିଲିକା ବୁଲିବାକୁ ପରାମର୍ଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ର ସଫଳତା କାମନା କରିଛନ୍ତି। ଏଥିସହ ଓଡ଼ିଶାକୁ ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଏକ ଗୌରବମୟ ଐତିହାସିକ ସାଂସ୍କୃତିକ ପରମ୍ପରା ବହନ କରୁଛି। ତେଣୁ ଖେଳ ପ୍ରେମୀମାନେ ଏହି ରାଜ୍ୟକୁ ଭ୍ରମଣ କରି ହକି ବିଶ୍ବକପ୍‌ର ମଜା ଉଠାଇବା ସହିତ ରାଜ୍ୟର ଉନ୍ନତ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜାଣିପାରିବେ। କ୍ରୀଡ଼ାପ୍ରେମୀଙ୍କ ପାଇଁ ରୋମାଞ୍ଚକର ହକି ମ୍ୟାଚ୍‌ ଦେଖିବାର ଏହା ଏକ ଭଲ ସୁଯୋଗ। ତେଣୁ ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ବକପ୍‌ ଦେଖିବାକୁ ଭୁବନେଶ୍ବର ଯିବାକୁ ମୋଦୀ ଆହ୍ବାନ ଦେଇଛନ୍ତି।

ସେ କହିଛନ୍ତି, ଓଡ଼ିଆ‌ମ‌ାନେ ପ୍ରବଳ ଉତ୍ସାହୀ। କ୍ରୀଡ଼ାକୁ ଏହି ରାଜ୍ୟ ବେଶ୍‌ ପସନ୍ଦ କରେ। ଏଥିପାଇଁ ଓଡ଼ିଶା ହକି ବିଶ୍ବକପ ଆୟୋଜନ ପାଇଁ ସୁଯୋଗ ପାଇଛି। ତା’ଛଡ଼ା ରାଜ୍ୟରେ ଅନେକ ବିଶ୍ବପ୍ରସିଦ୍ଧ ସ୍ଥାନ ମଧ୍ୟ ରହିଛି। ତେଣୁ କ୍ରୀଡ଼ାପ୍ରେମୀ ଏକସମୟରେ ହକି ବିଶ୍ବକପ୍‌କୁ ଉପଭୋଗ କରିବା ସହ ରାଜ୍ୟରେ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଚିଲିକା ହ୍ରଦ ସମେତ ଅନେକ ବିଶ୍ବପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଦେଖିପାରିବେ। ଏହା ଏକ ଅନନ୍ୟ ସୁଯୋଗ ସୃଷ୍ଟି କରିଛି। ‌େତବେ ଏହି ପ୍ରତିଯୋଗିତା ପାଇଁ ମୁଁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଉଛି ଏବଂ ସେମାନଙ୍କ ସମର୍ଥନରେ ୧୨୫ କୋଟି ଭାରତୀୟ ଅଛନ୍ତି ବୋଲି ମୋଦୀ କହିଛନ୍ତି।

ମୋଦୀ ଆହୁରି କହିଛନ୍ତି, ଭାରତ ଅନେକ ମହାନ୍‌ ହକି ଖେଳାଳି ସୃଷ୍ଟି କରିଛି। ଅତୀତରେ ଭାରତକୁ ଅନେକ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ମିଳିଛି ଏବଂ ଥରେ ଦେଶ ବିଶ୍ବକପ ବିଜେତା ମଧ୍ୟ ହୋଇପାରିଛି। ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ନାମ ସାରା ବିଶ୍ବରେ ପରିଚିତ। ତାଙ୍କ ପରେ ବଲ୍‌ୱିନ୍ଦର ସିଂହ ସିନିୟର, ଲେସ୍‌ଲି କ୍ଲାଉଡିୟସ୍‌, ମହମ୍ମଦ ସାହିଦ, ଉଦ୍ଧମ ସିଂହଠାରୁ ଆରମ୍ଭକରି ଧନରାଜ ପିଲ୍ଲେଙ୍କ ପର୍ଯ୍ୟନ୍ତ ସମସ୍ତେ ହକିରେ ଦୀର୍ଘ ପଥ ଅତିକ୍ରମ କରିଛନ୍ତି।

ଦେଶରେ ଏକତା ବଜାୟ ରଖିବାରେ ସର୍ଦ୍ଦାର ପଟେଲ୍‌ଙ୍କ ମହାନୀୟ ଭୂମିକାକୁ ସ୍ମରଣ କରି ମୋଦୀ କହିଛନ୍ତି, ଯଦି ଆମେ ଆଜି ଏକାଠି ହୋଇଥାଉ, ତା’ହେଲେ ପଟେଲ୍‌ଙ୍କର ସେହି ରଣନୀତିକ ବୁଦ୍ଧିମତ୍ତାକୁ ଆଦୌ ଭୁଲିବା ଉଚିତ ହେବନାହିଁ। ତାଙ୍କ ସ୍ମୃତିରେ ଗୁଜରାଟର ନର୍ମଦା ନଦୀ କୂଳରେ ଚଳିତମାସ ୩୧ରେ ବିଶ୍ବର ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିଷ୍ଠା ହେବ। ତେଣୁ ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ମୋଦୀ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଛନ୍ତି।

ନବୀନଙ୍କ ଧନ୍ୟବାଦ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଭୁବନେଶ୍ବରରେ ଆୟୋଜିତ ‌େହବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ଏବଂ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକ ସମ୍ବନ୍ଧରେ କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସାରା ଓଡ଼ିଶା ବିଶ୍ବକୁ ସ୍ବାଗତ କରିବାକୁ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର