ଡାକ୍ତରୀ ଚିକିତ୍ସା ପାଇଁ ପୁଣି ଯୁକ୍ତରାଷ୍ଟ୍ର ଆମେରିକା ଯିବେ ମନୋହର ପାରିକର

ପଣଜୀ: ସମ୍ପ୍ରତି ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅଧିକ ଡାକ୍ତରୀ ଚିକିତ୍ସା ନିମନ୍ତେ ଆଜି ରାତିରେ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରିବେ ବୋଲି ବୁଧବାର ଦିନ ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ଅଗ୍ନାଶୟ ବିକୃତି ଯୋଗୁଁ ଏ ମାସର ଆଦ୍ୟ ଭାଗରେ ୬୨ ବର୍ଷିୟ ପାରିକର ଯୁକ୍ତରାଷ୍ଟ୍ର ଆମେରିକାରେ ୩ ମାସ ଧରି ଚିକିତ୍ସିତ ହେଉଥିଲେ। ଜୁନ୍‌ ମାସରେ ସେ ସେଠାରୁ ଫେରିଥିଲେ। ଯାଞ୍ଚ କରାଇବାକୁ ପୁଣି ଥରେ ଏ ମାସରେ ସେ ଆମେରିକା ଯାଇଥିଲେ।

ଆମେରିକାରୁ ଫେରିବାର ଦିନକ ପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଅଗଷ୍ଟ ୨୩ ତାରିଖ ଦିନ ସେ ଲୀଳାବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ବୁଧବାର ଦିନ ସେ ଗୋଆ ଫେରିବେ ବୋଲି ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ମୁମ୍ବାଇରୁ ଆଜି ରାତିରେ ପାରିକର ବିମାନ ଯୋଗେ ଆମେରିକା ଯିବେ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଅଧିକ କିଛି ପ୍ରଘଟ କରିବାକୁ ଅଧିକାରୀଜଣକ ମନା କରି ଦେଇଛନ୍ତି। ସେ କହିଛନ୍ତି: ପାରିକରଙ୍କ ହାତରେ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ରହିବ। କାହାରିକୁ ଦାୟିତ୍ୱ ହସ୍ତାନ୍ତର କରିବା ଦରକାର ପଡ଼ିନାହିଁ।

ସମ୍ବନ୍ଧିତ ଖବର