ଜନମତକୁ ସମ୍ମାନ ଜଣାଉଛୁ: ମନୋଜ ତିୱାରୀ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟନ୍ତ ବିଜୟ ନେଇ ଦୃଢ଼ ଆତ୍ମବିଶ୍ବାସ ରଖିଥିବା ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଶେଷ‌ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟକୁ ସ୍ବୀକାର କରିଛନ୍ତି। ମନୋଜ ତିୱାରୀ ଆପ୍‌ର ବିଜୟ ପାଇଁ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି, ଜନମତକୁ ଆମେ ସମ୍ମାନ ଜଣାଉଛୁ ଏବଂ ସରକାରକୁ ସହଯୋଗ ଜାରି ରଖିବୁ। ଦିଲ୍ଲୀ ସରକାର ଲୋକମାନଙ୍କ ଆଶା ଅନୁଯାୟୀ କାମ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଦିଲ୍ଲୀ ବାସିନ୍ଦା, ସମସ୍ତ ଦଳୀୟ କର୍ମୀଙ୍କୁ ତିୱାରୀ ଆଜି ଏକ ଟ୍ବିଟ୍‌ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି। ତିୱାରୀ ବିଜେପି କର୍ମୀମାନଙ୍କୁ ଆଦୌ ହତୋତ୍ସାହ ନହେବା ପାଇଁ କହିଛନ୍ତି। ପରାଜୟ ସତ୍ତ୍ବେ ବିଜେପି ଭଲ ସ୍ଥିତିରେ ରହିଛି। ୨୭ଟି ଆସନରେ ଆପ୍‌ ଏବଂ ବିଜେପି ମଧ୍ୟରେ ମାତ୍ର ୧୦୦୦ ଭୋଟ୍‌ ବ୍ୟବଧାନ ଥିବା ସେ କହିଛନ୍ତି। ପରାଜୟକୁ ଆମେ ଭଲଭାବେ ଅନୁଶୀଳନ କରିବୁ ବୋଲି ତିୱାରୀ କହିଛନ୍ତି। ବିଜେପି ଘୃଣା ରାଜନୀତି କରେନାହିଁ, ଦିଲ୍ଲୀ ବିଜେପି ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ର ରାଜନୀତି କରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର