କମୁଛି ମାଓବାଦୀ ହିଂସା, ପ୍ରଭାବିତ ଜିଲ୍ଲା ତାଲିକାରୁ ହଟିଲା ୪୪ ଟି ଜିଲ୍ଲା

ନୂଆଦିଲ୍ଲୀ : ବିଗତ ଚାରି ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ହ୍ରାସ ପାଇଛି । ହିଂସାକାଣ୍ଡ ୨୦% ହ୍ରାସ ପାଇଛି । ସେହିପରି ୨୦୧୩ ମସିହା ତୁଳନାରେ ୨୦୧୭ରେ ହିଂସାଜନିତ ମୃତ୍ୟୁ ସଂଖ୍ୟା ୩୪% ହ୍ରାସ ପାଇଛି । ବାମପନ୍ଥୀ ହିଂସା ପ୍ରଭାବିତ ଜିଲ୍ଲାର ସଂଖ୍ୟା ୨୦୧୩ରେ ୭୬ ଥିବା ବେଳେ ୨୦୧୭ରେ ହ୍ରାସ ପାଇ ୫୮ ହୋଇଛି । ଏଥିରୁ କେବଳ ୩୦ ଜିଲ୍ଲାରେ ହେଉଥିବା ହିଂସା ହିଁ ଦେଶର ମୋଟ ବାମପନ୍ଥୀ ହିଂସାର ୯୦% । ଏଥିସହ କେତେକ ନୂତନ ଜିଲ୍ଲାରେ ମଧ୍ୟ ବାମପନ୍ଥୀ ଉଗ୍ରବାଦ ମୁଣ୍ଡ ଟେକି ଥିବାର ଲକ୍ଷ୍ୟ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ଏସଆରଇ ଜିଲ୍ଲା ଗୁଡ଼ିକରେ ବାମପନ୍ଥୀ ଉଗ୍ରବାଦ ସ୍ଥିତିର ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରି ତର୍ଜମା କରାଯାଇଥିଲା । ଯଦ୍ୱାରାକି ପରିବର୍ତ୍ତିତ ଚିତ୍ରରେ ସୁରକ୍ଷା ବାହିନୀଙ୍କୁ ସମତୁଲ ଭାବେ ମୁତୟନ କରାଯାଇପାରିବ । ତର୍ଜମା ପରେ ୪୪ଟି ଜିଲ୍ଲାକୁ ଏସଆରଇ ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ ଅଧିକ ୮ଟି ଜିଲ୍ଲାକୁ ଏହି ତାଲିକାରେ ସାମିଲ କରାଯାଇଛି ।

କେରଳ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ତିନିଟି ରାଜ୍ୟର ସଙ୍ଗମ ସ୍ଥଳରେ ମାଓବାଦୀଙ୍କ ପ୍ରଭାବ ବୃଦ୍ଧିକୁ ରୋକିବାକୁ କେରଳର ତିନିଟି ଜିଲ୍ଲାକୁ ନୂତନ ଭାବେ ଏସଆରଇ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ତିନିଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କୌଣସି ହିଂସା ହୋଇ ନଥିଲେ ମଧ୍ୟ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଛି । ତର୍ଜମା ସ୍ୱରୂପ ୧୨୬ଟି ଜିଲ୍ଲା ପରିବର୍ତ୍ତେ ୧୧ଟି ରାଜ୍ୟର ୯୦ଟି ଜିଲ୍ଲା ଏବେ ଏସଆରଇ ଜିଲ୍ଲା ଭାବେ ଉପକୃତ ହେବେ । ସେହିପରି ସର୍ବାଧିକ ମାଓବାଦୀ ପ୍ରଭାବିତ ଜିଲ୍ଲାର ସଂଖ୍ୟା ୩୬ରୁ ହ୍ରାସ ପାଇ ୩୦ ରହିବ । ବର୍ତ୍ତମାନ ମାଓବାଦୀ ହିଂସାର ବାସ୍ତବ ଚିତ୍ରକୁ ନେଇ ଏପରି ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର